ଚାଷୀ ଅତ୍ମହତ୍ୟା ପ୍ରସଙ୍ଗ : ପୀଡିତାଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେସ ପଂଚାୟତ ଅନ୍ତର୍ଗତ କାଦୋବେଡା ଗାଁରେ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ରିଚେକ ବନ୍‌ଛୋରଙ୍କ ପତ୍ନୀ ପାର୍ବତୀ ବନ୍‌ଛୋର ଓ ତାଙ୍କ ପରିବାରକୁ ଆଜି ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ସମବେଦନା ଜ୍ଞାପନ କରିବା ସହ ପ୍ରାରମ୍ଭିକ ଅନୁସନ୍ଧାନ କରିଥିଲେ । ପ୍ରାଥମିକ ଅନୁସନ୍ଧାନ କରିବା ସହ ମୃତକଙ୍କ ପତ୍ନୀ ପାର୍ବତୀ ବନ୍‌ଛୋରଙ୍କ ଠାରୁ ବୟାନ ରେକର୍ଡଭୁକ୍ତ କରିଥିଲେ । ଶ୍ରୀମତୀ ବନ୍‌ଛୋରଙ୍କ କହିବାନୁଯାୟୀ ତାଙ୍କ ସ୍ୱାମୀ ଜଣେ ଦାଦନ ଶ୍ରମିକ ଏବଂ ଭୂମିହୀନ ଅଟନ୍ତି । ପ୍ରତିବର୍ଷ ୬ମାସ ଦାଦନ ଖଟିବାକୁ ଯାଇ କିଛି ଅର୍ଥ ସଂଚୟ କରି ଅବଶିଷ୍ଟ ୬ ମାସ ନିଜ ଗାଁର ଗାଧୁ ନାଗ ଓ ଧନଞ୍ଜୟ ଭୋଇଙ୍କ ଜମିକୁ ବାର୍ଷିକ ଠିକା ଆକାରରେ ନେଇ ଭାଗ ଚାଷ କରନ୍ତି । ଭାଗ ଚାଷରେ ସାର, ବିହନ, କିଟନାଶକ ଔଷଧ ଏବଂ ମଜୁରି ଦେବା ପାଇଁ ଘୁନେଶ ଗାଁର ଗୁପ୍ତେଶ୍ୱର ସଗରିଆ ଓ ବଡବାଙ୍କି ଗାଁର ରାଜ କିଶୋର ସାହୁଙ୍କଠାରୁ ଟଙ୍କା କରଜ ଆଣି ଧାନ ଓ କପା ଚାଷ କରିଥିଲେ । ଏ ବର୍ଷ ନିଅଣ୍ଟିଆ ବର୍ଷାରେ ଧାନ ଏବଂ ପ୍ରବଳ ଖରାରେ କପା ଫସଲ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସେ କିଛି ଦିନ ହେଲା ମାନସିକ ଚାପ ଗ୍ରସ୍ତ ଥିଲେ । ଟଙ୍କା କରଜ ଶୁଝିନପାରିବା ଭୟରେ ଗୁରୁବାର ଦିନ ରାତି ବିଷପାନ କରି ମୃତ୍ୟୁବରଣ କରିଥିବା କଂଗ୍ରେସ କହିଛି । ଏହି ଘଟଣାକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ଉପସ୍ଥାପନ କରିବା ସହ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶରେ କଂଗ୍ରେସ ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ଯାଇ ପିଡିତା ପରିବାରକୁ ସମବେଦନା ଜଣାଇବା ସହ କିଛି ଆର୍ଥିକ ସାହାଯ୍ୟ କରି ତାଙ୍କ ଠାରୁ ସମସ୍ତ ବୟାନ ରେକର୍ଡଭୁକ୍ତ କରିଛି କଂଗ୍ରେସ । ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ଉଚିତ କ୍ଷତିପୁରଣ ଦେବା ସହ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରି ତୁରନ୍ତ କୃଷିଋଣ ଛାଡ କରାଯାଇ, ପ୍ରଧାନମନ୍ତ୍ରୀ ଫସଲ ବୀମାରେ ୩୦% ଚାଷୀମାନଙ୍କୁ ଅଗ୍ରୀମ ପ୍ରଦାନ କରାଯାଉ ନଚେତ ରିଚେକ ବନ୍‌ଛୋର ଭଳି ଆଗକୁ ହେବାକୁ ଥିବା ଅନେକ ଚାଷୀ ଆତ୍ମହତ୍ୟା ରୋକାଯାଇ ପାରିବ ନାହିଁ । ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଉକ୍ତ ପ୍ରତିନିଧି ମଣ୍ଡଳୀରେ ଶ୍ରୀ ବେହେରାଙ୍କ ସମେତ କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଯୁବନେତା ସରୋଜ ରଥ, ଲଳିତ ପଟେଲ, କାର୍ତ୍ତିକ ପୁଟେଲ, ସମିତି ସଭ୍ୟ କୌଶିକ ମେହେର, ହରେକୃଷ୍ଣ ସାଗରିଆ, ସୁଦାମ ବେହେରା, ହେମ ପଣ୍ଡା, ମହେନ୍ଦ୍ର ମହାକୁର, କୈବଲ୍ୟ ଭୋଇ, ଦୁର୍ଯ୍ୟୋଧନ ନାଗ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.