ସରପଞ୍ଚ ସୁଶୀଳ କୁମାର ଗୁରୁ ଓ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ମଧ୍ୟରେ ହାତାହାତି : ଦୁହିଁଙ୍କୁ କୋର୍ଟ ଚାଲାଣ କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ମନ୍ଦିରର ପାରିପାର୍‌ଶ୍ୱିକ ବିକାଶ କାମ ଚାଲିଥିବା ବେଳେ କାମର ମାନକୁ ନେଇ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ସରପଞ୍ଚ ସୁଶୀଳ କୁମାର ଗୁରୁ ଓ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସଙ୍କ ମଧ୍ୟରେ କଥା କଟାକଟି ଭିଡିଓ ଭାଇରାଲ ସହ ସହକାରୀ ଯନ୍ତ୍ରୀ ସରପଞ୍ଚ ଗୁରୁକୁ ଚାପି ଧରିଥିବା ଭିଡିଓ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଉଭୟ ପକ୍ଷରୁ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଥିବା ବେଳେ ଉଭୟଙ୍କୁ ପୋଲିସ ଅଟକ ରଖି ପଚରଉଚରା କରୁଥିବା ଜଣାପଡିଛି । ସୂଚନା ଅନୁସାରେ ମନ୍ଦିର ପାଖ କାମକୁ ନେଇ ଉଭୟେ କଥା କଟାକଟି ହୋଇଥିବା ବେଳେ ସହକାରୀ ଯନ୍ତ୍ରୀ ଉତ୍ୟକ୍ତ ହୋଇ ସରପଞ୍ଚ ଗୁରୁଙ୍କୁ ଚାପି ଧରିଥିବା ଭିଡିଓ ଭାଇରାଲ ହେଉଛି । ଏନେଇ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଦାସଙ୍କୁ ପଚାରିବାରୁ ସୁଶୀଲ ଗୁରୁ ନିମ୍ନମାନର କାମ ହେଉଥିବା କହି ପ୍ରଥମେ ପାଟି ତୁଣ୍ଡ, ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ପରେ ଏକ କାଠରେ ଆକ୍ରମଣ କରିଥିବା କହିଥିଲେ । ସେହିପରି ସୁଶୀଳ ଗୁରୁଙ୍କୁ ପଚାରିବାରୁ ନିମ୍ନମାନର କାମ ହେଉଥିବା ଦେଖି ବିଭାଗୀୟ ଅଧିକାରୀଙ୍କୁ କହିବାରୁ ସଙ୍ଘବଦ୍ଧ ଭାବେ ସହକାରୀ ଯନ୍ତ୍ରୀ ଓ ଅନ୍ୟମାନେ ଆକ୍ରମଣ କରି ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିବା ଯାହାକି ଭିଡ଼ିଓରେ ଭାଇରାଲ ହେଉଥିବା କହିଛନ୍ତି । ଘଟଣାର ଗୁରୁତ୍ୱକୁ ଦେଖି ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଚଳାଇଥିବା ବେଳେ ଖପ୍ରାଖୋଲ ଥାନା କେସ୍‌ ନମ୍ବର ୨୭୪/୨୦୨୩ ଓ ୨୭୫/୨୦୨୩ରେ ଦୁଇଟି ମାମଲା ରୁଜୁ କରି ଉଭୟଙ୍କୁ ପାଟଣାଗଡ଼ କୋର୍ଟ ଚାଲାଣ କରିଥିବା ଏସ୍‌ଡିପିଓ ଭୁକ୍ତା ପ୍ରକାଶ କରିଛନ୍ତି । ଏନେଇ ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଖପ୍ରାଖୋଲ ଥାନାରେ ପୂର୍ବତନ ବିଧାୟକ କନବର୍ଦ୍ଧନ ସିଂହଦେଓ, କଂଗ୍ରେସ ଦଳରୁ ଅନିଲ ମେହେର, କୋଶଳ ମୁକ୍ତି ମୋର୍ଚ୍ଚା, ସରପଞ୍ଚ ସଂଘ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ, ବିଭିନ୍ନ ସାମାଜିକ ସଂଗଠନ ସରପଞ୍ଚ ଗୁରୁଙ୍କୁ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.