ବିଦ୍ୟାଳୟର ଟଙ୍କା ଖାଇଗଲେ : କୋର୍ଟ ଶୁଣାଇଲେ ୨ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୩୦ ହଜାର ଟଙ୍କା ଜୋରିମାନା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସ୍କୁଲ୍‌ର ବିକାଶ ପାଇଁ ଟଙ୍କା ଆସିଲା, ହେଲେ ମାଷ୍ଟ୍ରେ ଓ ସ୍କୁଲ୍ ପରିଚଳନା କମିଟି ଅଧ୍ୟକ୍ଷ ସବୁ ଚଳୁ କରିଦେଲେ । ଏବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଉଭୟଙ୍କୁ ମିଳିଛି ସଜା । ଘଟଣାରୁ ପ୍ରକାଶ ଯେ, ତୁମୁଡ଼ିବନ୍ଧ ବ୍ଳକ ଧୁଡୁସି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବଡ଼ସେଠ ଓ ସ୍କୁଲ୍ ପରିଚାଳନା କମିଟି ଅଧ୍ୟକ୍ଷ ମହେନ୍ଦ୍ର ବାରିକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭିଜିଲାନ୍ସ କୋର୍ଟ ଶୁଣାଇଛନ୍ତି । କେବଳ ସେତିକି ନୁହେଁ, ୩୦ ହଜାର ଟଙ୍କାର ଅର୍ଥ ଦଣ୍ଡ ବି ମିଳିଛି । ସମୟ ଅନୁସାରେ ଜୋରିମାନା ନ ଦେଇପାରିଲେ ଅଧିକ ଚାରିମାସ ଜେଲ୍ ଦଣ୍ଡ ଭୋଗିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ୨୦୦୮-୯ ମସିହାରେ ଧୁଡ଼ୁସି ୟୁପି ସ୍କୁଲ୍‌କୁ ଡିପିଇପି ପକ୍ଷରୁ ସ୍କୁଲର ବିକାଶ ପାଇଁ ୫ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ଅନୁଦାନ ଆସିଥିଲା । ଏଥିରେ ଅତିରିକ୍ତ ଶ୍ରେଣୀ ଗୃହ, ବାରଣ୍ଡା ଆଦି ନିର୍ମାଣ କରାଯିବାର ଥିଲା । ହେଲେ ପିଲାମାନଙ୍କୁ ନୀତି ନୈତିକତାର ପାଠ ପଢ଼ାଉଥିବା ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟି ଅଧ୍ୟକ୍ଷଙ୍କ ସହିତ ମିଶି ଟଙ୍କା ଚଳୁ କରିଦେଲେ । ହେଲେ କୌଣସି କାମ ନ କରି ତତ୍କାଳୀନ ପ୍ରଧାନ ଶିକ୍ଷକ ବଡ଼ ସେଠ ଓ ସ୍କୁଲ ପରିଚାଳନା କମିଟି ସଭାପତି ବାରିକ ମିଶି ସମସ୍ତ ଅର୍ଥ ଚଳୁ କରିଦେଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଗତ ୨୦୧୩ ମସିହାରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିଥିଲା । ଶେଷରେ ଏହି ମାମଲାର ବିଚାର କରି ଫୁଲବାଣୀ ଭିଜିଲାନ୍ସ କୋର୍ଟର ବିଚାର ପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.