ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କ ବିରୋଧ ପ୍ରଦର୍ଶନ

ବରଗଡ଼, (କେପିଏନ୍‌ଏସ୍‌) : ଆଜି ବରଗଡ଼ ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପୁର ସମାବେଶରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ ସହ ବରଗଡ଼ ଜିଲ୍ଲାକୁ ୨୯୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ନବୀନ । ୫ଟି ରୂପାନ୍ତରଣ କାର୍ୟ୍ୟକ୍ରମରେ ୭୧ଟି ସ୍ମାର୍ଟ ସ୍କୁଲ ମଧ୍ୟ ଲୋକାର୍ପଣ କରିବେ ।

ଏହି ପର୍ୟ୍ୟାୟରେ ଶୃଙ୍ଖଳାକୁ ଆଖିରେ ରଖି ବରଗଡ଼ ପୋଲିସ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟଙ୍କୁ ଆଗୁଆ ଗିରଫ କରିଥିବା ଜଣାପଡ଼ିଛି । ମମିତା ମେହେର ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ଆଶଙ୍କାରେ ଇରାଶିଷଙ୍କ ଗିରଫ କରାଯାଇଥିବା ଅନୁମାନ କରାଯାଉଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ପୂର୍ବରୁ ବିଳମ୍ବିତ ରାତିରେ ପଦ୍ମପୁରରେ ବିଜେପିର ୮ ଜଣ ନେତାଙ୍କୁ ଉଠାଇ ନେଇଛି ପୁଲିସ୍ ।

ଅନ୍ୟପଟେ ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବୀରେ ବରଗଡ଼ର ଏକାମ୍ର ଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାର୍ ଉପରକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ସେହିପରି ବରଗଡ଼ ଭଟଲି ଛକରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ଖବର ଆସୁଛି । ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ ବିଜେପି ପାର୍ଟି ଅଫିସରୁ ବାହାରିଥିଲା ବାଇକ ରାଲି । ଭଟଲି ଛକରେ ବାଇକ ରାଲିକୁ ଅଟକାଇଛି ବରଗଡ ପୋଲିସ । ଏହି ସମୟରେ ପୋଲିସ ଓ ବିଜେପିକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୁଣି ବିଜେପୁରକୁ ଯିବାବେଳେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ିକୁ ବରଗଡ଼ ଏକାମ୍ର ଛକରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ ହୋଇଥିବା କୁହାଯାଇଛି ।

ପଦ୍ମପୁରରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିବା ବେଳେ ପାଇକମାଳ ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ମଧ୍ୟ ଅଣ୍ଡାମାଡ଼ ହୋଇଥିବା କୁହାଯାଉଛି ।

ଅନ୍ୟ ପଟେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟଙ୍କ ଗିରଫଦାରୀକୁ ନିନ୍ଦା କରାଯାଇଛି । ଓଡ଼ିଶା ପୋଲିସ ଅପରାଧୀଙ୍କୁ ଧରିବା ବଦଳରେ ସାଧାରଣଙ୍କୁ ଗିରଫ କରୁଛି; ଶାସକ ବିଜେଡିର ଏଜେଣ୍ଟ ସାଜି ପ୍ରତିବାଦର ସ୍ୱରକୁ ଦମନ ପାଇଁ ଚେଷ୍ଟା କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.