
ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ବି. ବରପଲ୍ଲୀ ଗ୍ରାମରେ ଅଭାବନୀୟ ଘଟଣା । ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ବି. ବରପଲ୍ଲୀ ଗ୍ରାମରେ ତ୍ରୟ ବାର୍ଷିକ ଯାତ୍ରା ଚାଲିଥିଲା । ସୋମବାର ବିଳମ୍ଵିତ ରାତିରେ ଗ୍ରାମର ବଚନ ପ୍ରଧାନଙ୍କ ଘର ଆଗରେ କିଛି ଯୁବକ ଗଣ୍ଡଗୋଳ କରୁଥିଲେ । ବଚନ ଏହାକୁ ବିରୋଧ କରିବା ସହ ଗଣ୍ଡଗୋଳ କରିବା ପାଇଁ ମନା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗଣ୍ଡଗୋଳ କରୁଥିବା ୪ ରୁ ୫ ଜଣ ଯୁବକ ବଚନଙ୍କୁ ଛୁରୀ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ବଚନଙ୍କ ପେଟ ଓ ଦେହର ବିଭିନ୍ନ ସ୍ଥାନରେ ଛୁରୀ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।