ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଣି ଲଜ୍ୟା । ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା । ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ତୁମୁଡିବନ୍ଧ ବ୍ଲକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଏପରି ଘଟିଛି । ମିଳିଥିବା ସୂଚନା ଅନୁସାରେ, ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀମାନେ ଆବାସିକ ବିଦ୍ୟାଳୟକୁ ଫେରିଥିଲେ । ହେଲେ ଏକ ମାସ ହେବାରୁ ମାସିକ ଋତୁସ୍ରାବ ତଦାରଖ କରିବା ସମୟରେ ଦୁଇ ଜଣ ଛାତ୍ରୀଙ୍କ ପଜିଟିଭ ଥିବା ଜଣାପଡ଼ିଛି । ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ଓ ତାଙ୍କ ନିର୍ଦ୍ଦେଶରେ ଡାକ୍ତରୀ ମାଇନାର ରିପୋର୍ଟରୁ ଉକ୍ତ ଦୁଇ ଜଣ ଛାତ୍ରୀ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିଲା । ଉଭୟ କୋଟଗଡ଼ ଓ ବେଲଘର ଥାନା ଅଞ୍ଚଳର ବୋଲି ଜଣାପଡ଼ିଥିଲା । ଏହା ପରେ ପୃଥକ ଭାବରେ ଦୁଇଟି ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲିଖିତ ଭାବରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି କୋଟଗଡ଼ ଥାନାରେ କେସ ନଂ.୧୦୩/୨୫ ଏବଂ ସେହିଭଳି ବେଲଘର ଥାନାରେ କେଶ ନଂ.୬୪/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବାବେଳେ ବେଲଘର ପୋଲିସ ଉକ୍ତ ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଜାରି ରଖିଛି । କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ ଚିହ୍ନଟ କରିବାରେ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

Prev Post