ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୩ ଜୁଲାଇ ଭୁବନେଶ୍ୱରଠାରେ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଆଇଡିଏସଓ ରାଜ୍ୟ ପରିଷଦ ପକ୍ଷରୁ ଆସନ୍ତା ୨୩ ଜୁଲାଇ ଭୁବନେଶ୍ୱରଠାରେ ବିଶାଳ ରାଜ୍ୟସ୍ତରୀୟ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବାକୁ ଯାଉଛି । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ସ୍ଥାନରେ ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦାବିରେ ଏହି ଛାତ୍ର ବିକ୍ଷୋଭର ଡାକରା ଦେଇଛି ଏଆଇଡିଏସଓ । ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ସୈାମ୍ୟାଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ସଂପୃକ୍ତ ସମସ୍ତ ଅପରାଧୀ ତଥା ସୈାମ୍ୟାଶ୍ରୀଙ୍କ ଅଭିଯୋଗ ସତ୍ତ୍ୱେ କୈାଣସି ପଦକ୍ଷେପ ନେଇନଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ ଏଆଇଡିଏସଓ ଲଗାତାର ଆନ୍ଦୋଳନ କରିବା ସହ ଜୁଲାଇ ୧୭ ତାରିଖରେ ସାରା ଓଡିଶା ଛାତ୍ର ଧର୍ମଘଟର ଆହ୍ୱାନ ଦେଇଥିଲା । ଏହି ଛାତ୍ର ଧର୍ମଘଟକୁ ଓଡିଶାର ଛାତ୍ରଛାତ୍ରୀମାନେ ସର୍ବାନ୍ତକରଣରେ ସଫଳ କରିଛନ୍ତି । ଏହି ସଫଳତା ସରକାରଙ୍କୁ ଏକ ଚେତାବନୀ । ଏଆଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ରଥ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି; ଛାତ୍ରୀମାନଙ୍କ ନିରାପତ୍ତା ସୁନିଶ୍ଚିତ ଦାବିରେ ଏଆଡିଏସଓର ଆନ୍ଦୋଳନ ଚାଲିବ । ଏହା ସହ ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ସ୍କୁଲ ଖୋଲିବା, ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ପୂରଣ କରିବା, ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା, ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଫ୍ରି ବସ୍ ପାସ୍ ଯୋଗାଇ ଦେବା, ଶିକ୍ଷାମାରଣ ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ କରିବା ପ୍ରମୂଖ ଦାବି ମଧ୍ୟ ଏହି ଛାତ୍ର ବିକ୍ଷୋଭରେ ଉତ୍‌ଥାପନ କରାଯିବ । ସରକାରୀ ଶିକ୍ଷାକୁ ରକ୍ଷା କରିବା ସହ ଶିକ୍ଷା-ସଂସ୍କୃତି-ମାନବତା ଉପରେ ଆସୁଥିବା ଆକ୍ରମଣକୁ ରୋକିବା ପାଇଁ ସମସ୍ତେ ସ୍ୱର ଉତ୍ତୋଳନ କରିବାକୁ ସେମାନେ ଆହ୍ୱାନ ଦେଇଛନ୍ତି । ଆସନ୍ତା ୨୩ ଜୁଲାଇରେ ବିଧାନସଭା ସମ୍ମୁଖରେ ହେବାକୁ ଥିବା ଛାତ୍ର ବିକ୍ଷୋଭକୁ ସର୍ବାନ୍ତକରଣରେ ସଫଳ କରିବାକୁ ରାଜ୍ୟର ଛାତ୍ର ସମାଜକୁ ଏଆଇଡିଏସଓ ଜିଲ୍ଲା ସଭାପତି ମଧୁସୁଦନ ବାଗ ଓ ସମ୍ପାଦକ ଗୌରୀ ରାଉତ ଆହ୍ୱାନ ଦେଇଛନ୍ତି ।

jittmm
Leave A Reply

Your email address will not be published.