ଗଞ୍ଜାମ, (କେପିଏନଏସ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦ୍ଧୋଳ ଗାଁରେ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ କନ୍ଧମାଳ ଜିଲ୍ଲାର କୁରୁମୁଙ୍ଗିଆ ଗାଁର ବାନଧର ପ୍ରଧାନ ବୋଲି ଜଣାପଡିଛି । ଆଜି ସକାଳ ସମୟରେ ଖବର ପାଇ ଭଞ୍ଜନଗର ପୋଲିସ ଗାଁରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ଗତରାତିରେ ସମ୍ପୃକ୍ତ ଗାଁର ଜଣଙ୍କ ଘରେ ଚୋର ପଶିଥିବା ବେଳେ ଅନ୍ୟ ଜଣେ ଚୋର ବାହାରେ ଅପେକ୍ଷା କରିଥିଲା । ଗାଁର କିଛି ଲୋକଙ୍କ ପାଟି ଶୁଣି ଚୋର ପଶିଥିବା ଜାଣି ପାରିଥିଲେ ଗାଁଲୋକେ । ଗାଁଲୋକେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଚୋର ଖସି ପଳାଇଥିଲା । ଚୋରକୁ ଧରିବା ପରେ ଦଉଡିରେ ବାନ୍ଧି ଗାଁ ଲୋକେ ପିଟି ପିଟି ଗୁରୁତର କରିଦେଇଥିଲେ । ଖବର ପାଇ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଚୋରକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ନେଇଥିଲେ । ତେବେ ସେଠାରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚୋରି କାର୍ଯ୍ୟରେ ବ୍ୟବହୃତ କିଛି ଯନ୍ତ୍ରପାତିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।
Next Post