ଗତ ରାତିରେ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ରାତିରେ ନୃସିଂହନାଥ ମନ୍ଦିରରୁ ଦାନବାକ୍ସ ଚୋରି ହୋଇଥିବା ନେଇ ପାଇକମାଲ ଥାନାରେ ଅଭିଯୋଗ କରାଯାଇଛି । ମୁଖ୍ୟ ମନ୍ଦିରର ପ୍ରସ୍ଥାନ ଦ୍ଵାର ଭାଙ୍ଗି ମନ୍ଦିର ଭିତରକୁ ପସି ବଡ଼ ଦାନବାକ୍ସ ଫାଡି ଟଙ୍କା ନେଇଥିବା ବେଳେ ଆଉ ଦୁଇଟି ଦାନବାକ୍ସ ଚୋରି କରି ନେଇଥିବା ଜଣାପଡିଛି । ତିନି ଜଣ ମୁଖାପିନ୍ଧା ବ୍ୟକ୍ତି ଚୋରି କରୁଥିବା ସିସି ଟିଭିରେ କଏଦ ହୋଇଛି ।
ସେମାନେ ମୁଖା ପିନ୍ଧି ଥିବାରୁ ତାଙ୍କ ମୁଁହ ସ୍ପଷ୍ଟ ଜଣାପଡୁନାହିଁ । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ସନ୍ଧାନୀ କୁକୁର ଓ ସାଇନ୍‌ଟିଫିକ୍‌ ଟିମ୍‌ ଆସି ଅଧିକ ତଦନ୍ତ ଜାରି ରଖିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ୧୯୮୪ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ମହାପ୍ରଭୁ ନୃସିଂହନାଥଙ୍କ ମୂର୍ତ୍ତିକୁ ଚୋରି କରାଯାଇଥିଲା । ଠିକ୍ ଏକ ବର୍ଷ ପରେ ସମ୍ବଲପୁର ରେଳ ଷ୍ଟେସନରୁ ତାହା ଉଦ୍ଧାର କରାଯାଇଥିଲା । ଦ୍ୱିତୀୟ ଥର ପାଇଁ ୧୯୯୭ ମସିହାରେ ମନ୍ଦିର ହୁଣ୍ଡି ଚୋରି କରିବା ପାଇଁ ଉଦ୍ୟମ କରି ସେଥିରେ ବିଫଳ ହୋଇଥିଲେ । ବର୍ତ୍ତମାନ ପୁଣି ସେହି ହୁଣ୍ଡି ଚୋରିର ପୁନରାବୃତ୍ତି ଦେଖିବାକୁ ମିଳିଛି । ଏହି ଘଟଣା ନେଇ ପାଇକମାଲ ଥାନାରେ କେସ ନଂ ୧୯୪/୨୩ ଅନୁଯାୟୀ ଏକ ମାମଲା ରୁଜୁ ହେବା ସହ ଦୁଇଜଣ ସନ୍ଦିଦ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପାଇକମାଲ ପୋଲିସ ।

Leave A Reply

Your email address will not be published.