ଚୋରି ଯାଇଥିବା ୫ ଲକ୍ଷ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଜବତ : ଦୁଇ ଚୋର ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଏକ ପ୍ରତିଷ୍ଠିତ ଇନିଷ୍ଟିଚ୍ୟୁଟ୍‌ରୁ ଚୋରି ହୋଇଥିବା ୫ଟି ଲ୍ୟାପଟପ୍ ସହ କମ୍ପ୍ୟୁଟର ଯନ୍ତ୍ରପାତି ଆଦି ସମେତ ୫ଲକ୍ଷ ଟଙ୍କାର କମ୍ପ୍ୟୁଟର ବିଜ୍ଞାନ ସାମଗ୍ରୀ ପୋଲିସ ଜବତ କରିଛି । ଚୋରି କରିଥିବା ଅନୀଲ ଗମାଙ୍ଗ ଏବଂ ତା’ ର ସହଯୋଗୀ ପାଖରେ ଠୁଳ କରି ରଖିଥିବା ସଞ୍ଜିତ ନାୟକକୁ ମଧ୍ୟ ଗଞ୍ଜାମ ପୋଲିସ ଧରିବାରେ ସଫଳ ହୋଇ ଉକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଥାଉକି, ଏକ ଉଲ୍ଲେଖନୀୟ ଘଟଣା କ୍ରମରେ ଛତ୍ରପୁର ଥାନା ପୋଲିସ ଛତ୍ରପୁର ସହରରେ ଜୁଲାଇ ମାସରୁ କ୍ରମାଗତ ଭାବେ ହେଉଥିବା ଚୋରି ଗୁଡ଼ିକର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି । ଏହି ସିରିଆଲ ଚୋରିରେ ସାମିଲ ମୁଖ୍ୟ ଆସାମୀ ଅନୀଲ ଗମାଙ୍ଗକୁ ପୋଲିସ ଧରିବା ସହ ତା ଠାରୁ ମିଳିଥିବା ସୂଚନାକୁ ଆଧାର କରି ଜଣେ ସହଯୋଗୀ ସଞ୍ଜିତ ନାୟକକୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ୫ଟି ଲ୍ୟାପଟପ୍, ୩ଟି ଅଲ୍ ଇନ୍ ୱ।ନ କମ୍ପ୍ୟୁଟର, ଗୋଟିଏ ପ୍ରୋଜେକ୍ଟର, ଅନେକ ଗୁଡ଼ିଏ କମ୍ପ୍ୟୁଟର ସାମଗ୍ରୀ ଜବତ କରିଛି । ଅନୀଲ ଶିକ୍ଷିତ ହୋଇଥିବା ବେଳେ ତାଙ୍କର ପରିବାରରେ ତିନିଜଣ ସରକାରୀ ଚାକିରିଆ ଅଟନ୍ତି । ସହରର ଆର୍‌ଟିଓ ଅଫିସ ନିକଟରେ ତିନି ମହଲା ଅଟ୍ଟାଳିକାରେ ରହୁଥିବା ଅନୀଲ ଏଭଳି ଚୋରିରେ ସାମିଲ ଥିବା ଅନ୍ୟମାନଙ୍କୁ ଚକିତ କରିବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜୁଲାଇ ମାସ ୧୫ ତାରିଖ ଓ ଅଗଷ୍ଟ ୧୫ ତାରିଖ ଦିନ ଛତ୍ରପୁରର ତାଡେପଲ୍ଲୀ ସାହି ସ୍ଥିତ ଓକେସିଏଲର ଜିଲ୍ଲା ମୂଖ୍ୟ କେନ୍ଦ୍ର ରେଖାସ୍ ଡିଜିଟାଲ ଏଜୁକେସନରୁ ୯ଟି ଲ୍ୟାପଟପ୍, ୩ଟି ଅଲ୍ ଇନ୍ ୱ।ନ କମ୍ପ୍ୟୁଟର, ପ୍ରୋଜେକ୍ଟର, ସ୍କାନର, ପ୍ରିଣ୍ଟର ଆଦି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଥିଲା । ଏହାପରେ ସେପ୍ଟେମ୍ବର ମାସ ୧୫ ତାରିଖ ଦିନ ଛତ୍ରପୁରର ଆଉ ଏକ କମ୍ପ୍ୟୁଟର କେନ୍ଦ୍ର ଏଡୁକେରରେ ଚୋରି ସହ ନିଆଁ ଲଗାଇ ଦେଇଥିଲା । ଏହି ସମସ୍ତ ଚୋରି ଏକ ନିର୍ଦ୍ଦିଷ୍ଟ ପ୍ୟାଟର୍ନରେ ହୋଇ ଥିବାରୁ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଶୁକ୍ରବାର ସନ୍ଧ୍ୟାରେ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଗଣମାଧ୍ୟମ / ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର୍ ପାତ୍ର ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଅପରାଧୀଙ୍କ ପ୍ୟାରେଡ କରାଇଥିଲେ । ପୋଲିସ ସାଇବର ସେଲର ସହଯୋଗ ସହ ସ୍ୱତନ୍ତ୍ର ସୂତ୍ରରୁ ଖବର ପାଇ ଅପରାଧୀଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ସାମଗ୍ରୀ ଜବତ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡେ଼ଇ ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଉପସ୍ଥିତ ଥିଲେ । ଏହାପରେ ଗଞ୍ଜାମ ଏସ୍‌ପି ଉକ୍ତ ଉଦ୍ଧାର ହୋଇଥିବା ସାମଗ୍ରୀ ଗୁଡିକୁ ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ୍‌ ରେଖା ମହାନ୍ତିଙ୍କୁ ଫେରାଇ ଥିଲେ ।

Leave A Reply

Your email address will not be published.