ମଥୁରା ଗ୍ରାମରେ ଆଲମିରା ତାଲା ଭାଙ୍ଗି ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗ୍ରାମରେ ଘର କବାଟ ଭାଙ୍ଗି ଆଲମିରା ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୬୦ ହାଜର ଟଙ୍କା ଓ ୧୨ ତୋଳା ସୁନା, ୬ ତୋଳା ରୂପା ଅଳଙ୍କାର ଚୋରି କରି ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମଥୁରା ଗ୍ରାମର ଆକାଶ ତରେଇ ଗତ କିଛି ଦିନ ହେଲା ପୁରୁଷୋତ୍ତମପୁର ଅଞ୍ଚଳକୁ ନିଜ ଅଜାଙ୍କ ଘରକୁ ପରିବାର ସହ ଯାଇଥିଲେ । ତେବେ ମଙ୍ଗଳବାର ସକାଳ ୮ଟା ସମୟରେ ଆକାଶ ପରିବାର ସହ ଗ୍ରାମରେ ପହଞ୍ଚିବା ପରେ ଘରର ବାରିପଟ କବାଟ ଭଙ୍ଗା ଯାଇଥିବା ଘର ଲୋକେ ଦେଖିଲେ । ଯାହା ଘର ଭିତରେ ଥିବା ଆଲମିରା ଭାଙ୍ଗିଯାଇ ଥିବା ସାଂଗକୁ ଆଲମିରା ଭିତରେ ଥିବା ନଗଦ ୬୦ ହଜାର ଟଙ୍କା ଓ ୧୨ ତୋଳା ସୁନା ସହ ୫ରୁ ୬ ତୋଳା ରୂପା ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ଘଟିଥିବା ଆକାଶ କହିଛନ୍ତି । ଅନ୍ୟପଟେ ଖବର ପାଇ ଦିନ ସାଢ଼େ ୧୧ ଟା ସମୟରେ ଖଲ୍ଲିକୋଟ ଥାନା ଏସ୍‌. ଆଇ. ଦେବଦତ୍ତ ପ୍ରିୟଦର୍ଶୀ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.