ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ୱାରା ଚୋର ଗିରଫ

  • ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ୱାରା ଚୋରି ଜିନିଷ ଉଦ୍ଧାର

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ସେକ୍ଟର-୧୯ ଥାନା ଅଞ୍ଚଳରେ ଘରର ଛାତ କାଟି କମ୍ପୁଟର ମନିଟର ଚୋରି ଅଭିଯୋଗରେ ସେକ୍ଟର-୧୯ ପୋଲିସ୍ ଜଣେ ଚୋରକୁ ଗିରଫ୍ କରିବା ସହିତ ଚୋର ନିକଟରୁ ଚୋରି ଯାଇଥିବା ଜିନିଷ ଉଦ୍ଧାର କରିଛି । ପୋଲିସର ସୂଚନା ଅନୁସାରେ ଛେଣ୍ଡ କିଷାନ ଟୋଲାର ପ୍ରଫୁଲ୍ଲ ସ୍ୱାଇଁ (୭୦), ସେକ୍ଟର–୧୯ ସ୍ଥିତ ଆଇରନ୍ ଏଣ୍ଡ ଷ୍ଟିଲ୍ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ ଅଧିନରେ କାର୍ଯ୍ୟରତ ଥିଲେ । ଅଗଷ୍ଟ ୯ ତାରିଖରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ ଭାଇଙ୍କ ଶ୍ରାଦ୍ଧ ପାଇଁ ସେ ଛୁଟିରେ ଥିଲେ । ଅଗଷ୍ଟ ୧୪ ତାରିଖରେ ଶ୍ରୀ ସ୍ୱାଇଁ ଆଇରନ୍ ଏଣ୍ଡ ଷ୍ଟିଲ୍ କ୍ରେଡିଟ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ କାର୍ଯ୍ୟାଳୟକୁ ଫେରିବା ପରେ ସେ ଦେଖିବାକୁ ପାଇଥିଲେ ଯେ, କୌଣସି ଅଜ୍ଞାତ ବ୍ୟକ୍ତି କାର୍ଯ୍ୟାଳୟର ଏକ୍ସଟେନସନ୍ ରୁମର ଟିଣ ଛାତ ଏବଂ ସିଲିଂ ଭାଙ୍ଗି ୨୦ ଇଞ୍ଚର ଏଲ୍ଇଡି କମ୍ପ୍ୟୁଟର ମନିଟର ଚୋରି କରି ନେଇଛି । ଏହାପରେ ଶ୍ରୀ ସ୍ୱାଇଁ ସେକ୍ଟର-୧୯ ଥାନାରେ ଅଭିଯୋଗ କରିଥିଲେ । ସେକ୍ଟର-୧୯ ପୋଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଲେ ଯେ, ସେକ୍ଟର-୧୮ ସମଲେଶ୍ୱରୀ ବସ୍ତିର ବାସିନ୍ଦା ଗୟାନୁ ମୁଗଡୀଙ୍କ ପୁଅ ବିକାଶ ମୁଗଡି (୧୮ ବର୍ଷ)ଙ୍କୁ ଏହି ଘଟଣାରେ ପୋଲିସ୍ ଅଟକ ରଖି ପଚରାଉଚରା କରିଥିଲା । ଯିଏ ଏହି ଅପରାଧକୁ ସ୍ୱୀକାର କରିଥିଲା । ତାଙ୍କ ସୂଚନା ଆଧାରରେ, ଚୋରି ହୋଇଥିବା ୨୦ ଇଞ୍ଚର ଏଲ୍‌ଜି କମ୍ପ୍ୟୁଟର ମନିଟର ଉଦ୍ଧାର କରାଯାଇଥିଲା । ପୋଲିସ ରେକର୍ଡ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୁଦ୍ଧରେ ସେକ୍ଟର-୧୫ ଏବଂ ସେକ୍ଟର-୧୯ ଥାନା ଅଞ୍ଚଳରେ ଚୋରି ଏବଂ ତାଲା ଭାଙ୍ଗିବା ମାମଲା ସମେତ ପୂର୍ବରୁ ଅନେକ ଅପରାଧିକ ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ୍ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.