ବଲାଙ୍ଗିର, (କେପିଏନ୍ଏସ୍) : ସାରା ରାଜ୍ୟରେ ବଲାଙ୍ଗିର ଜିଲ୍ଲା ସବୁ ସମୟରେ ଚର୍ଚ୍ଚିତ ରହିଥାଏ । ଗତ କିଛି ମାସ ତଳେ ବଲାଙ୍ଗିର ଜିଲ୍ଲାରେ ଏତେ ପରିମାଣରେ କ୍ରାଇମ ବଢିଯାଇଥିଲା । ଲୋକେ ବାହାରକୁ ବାହାରିବା ପାଇଁ ଭୟ କରୁଥିଲେ । ଏହାକୁ ନେଇ ବୁଦ୍ଧିଜୀବୀ ତାତିବା ପରେ ଖୋଦ ଏସ୍ପି ଗୋଟି ଗୋଟି କରି ଅପରାଧରେ ଲିପ୍ତ ଥିବା ଅପରାଧୀଙ୍କ ସମ୍ରାଜ୍ୟକୁ ଜେସିବି ଲଗାଇ ଧ୍ୱଂସ କରିବା ସହ ଜେଲ୍ ହାଜତ୍କୁ ପଠାଇ ଦେଇଥିଲେ ଅପରାଧୀମାନଙ୍କୁ । ତେବେ ଏଥିପାଇଁ ସାଧାରଣ ଜନତା ବଲାଙ୍ଗିର ଏସ୍ପିଙ୍କୁ ପ୍ରଶଂସା କରିବା ସହ ସାବାସ୍ ଏସ୍ପି ବୋଲି କହିଥିଲେ । କିନ୍ତୁ ଦି’ମାସ ନ ଯାଉଣୁ ଏବେ ସେହି ସମାନ ପରିସ୍ଥିତି ପୁଣି ଦେଖିବାକୁ ମିଳୁଛି ବଲାଙ୍ଗିର ସହରରେ । ଘର ଛାଡିକି ବାହାରକୁ ଗଲେ ରାତାରାତି ଘରେ ପଶି ପୁରା ଘର ସଫା କରି ଦେଉଛନ୍ତି ଚୋର । ତେବେ ଏମିତି ଏକ ଘଟଣା ଆଜି ବଲାଙ୍ଗିର ସହର ପେଲେସ ଲାଇନର ଦୟାନନ୍ଦ ପ୍ଲେ ସ୍କୁଲ ଗଳି ନିକଟରେ ଘଟିଛି । ଏହି ଗଳିରେ ଥିବା ଲିପୁ ପାଇକରାୟଙ୍କ ଘରୁ ଗତ ରାତିରେ ଚୋରି ହୋଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଗତ ୨୮ ତାରିଖରେ ଲିପୁ ତାଙ୍କ ପରିବାର ସହ ବେଙ୍ଗାଲୁରୁରେ ରହୁଥିବା ତାଙ୍କ ଭାଇ ଘରକୁ ଯାଇଥିବା ବେଳେ ତାଙ୍କ ଘରକୁ ସମୟ ସମୟରେ ଟିକିଏ ଦେଖାାଦଖି କରିବା ପାଇଁ ତାଙ୍କ ସମ୍ପର୍କୀୟ ମାମୁଁଙ୍କୁ କହିଥିଲେ । ହେଲେ ଗତ ରାତିରେ ଘରେ ପଶି ଘରରେ ଥିବା ୩ରୁ ୪ ଭରି ସୁନା ଓ ୨୦ରୁ ୩୦ ହଜାର ଟଙ୍କା ନେଇ ଫେରାର୍ ମାରିଛନ୍ତି ଚୋରମାନେ । ଆଜି ସକାଳେ ଲିପୁଙ୍କ ସମ୍ପର୍କୀୟ ମାମୁଁ ଆସି ଦେଖିଲା ବେଳକୁ ପୁରା ଘର ଖୋଲା ଥିବା ବେଳେ ସଙ୍ଗେ ସଙ୍ଗେ ବଲାଙ୍ଗିର ଟାଉନ ଥାନାକୁ ଖବର ଦେଇଥିଲେ । ବଲାଙ୍ଗିର ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Next Post