ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦାଦନ ଚାଲାଣକୁ ନେଇ ଲାଠୋର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଚାଲିଥିବାବେଳେ ଗୁରୁବାର ଦିନ ସଫଳତା ମିଳିଛି । ପୋଲିସ ଲାଠୋର ବସଷ୍ଟାଣ୍ଡ ଠାରୁ ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଯେଉଁମାନଙ୍କୁ ବେଆଇନ ଭାବେ ବାହାର ରାଜ୍ୟକୁ ଦାଦନ ଖଟାଇବା ପାଇଁ ପଠାଉଥିଲେ ସର୍ଦ୍ଦାର ମୁନିରାମ ରାବଣ । ସୂତ୍ର ଅନୁସାରେ, ପାଟଣାଗଡ଼ ଥାନା ଅନ୍ତର୍ଗତ ପଣାମୁଣ୍ଡା ଗ୍ରାମର ନିବାସୀ ମୁନିରାମ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ନେଇ ବେଆଇନ ଭାବେ କାମ କରାଉଥିଲେ । ବିଶ୍ୱସ୍ତ ସୂଚନା ଆଧାରରେ ଲାଠୋର ପୋଲିସ ବସଷ୍ଟାଣ୍ଡ ଠାରେ ମୁନିରାମ ଓ ଶ୍ରମିକମାନଙ୍କୁ ଧରିଥିଲେ । ଉଦ୍ଧାର ଶ୍ରମିକମାନେ ପଣାମୁଣ୍ଡା ଓ ପାଟଣାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସ ତାଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇ ଦେଇଛି । ଏହି ଘଟଣା ସମ୍ବନ୍ଧରେ ଲାଠୋର ଥାନାରେ କେସ ନଂ ୨୦୫/୨୦୨୫ରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ସର୍ଦ୍ଦାର ମୁନିରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଲାଠୋର ଥାନାଧିକାରୀ ରମାକାନ୍ତ ସାହୁ ଏହି ସମ୍ବନ୍ଧରେ ସୂଚନା ଦେଇ କହିଛନ୍ତି ଯେ, “ଦାଦନ ଚାଲାଣକୁ ନେଇ ପୋଲିସ ସଜାଗ ରହିଛି । ଏହି ମାମଲାରେ ଅନ୍ୟ କେହି ଜଡ଼ିତ ଅଛନ୍ତି କି ନାହିଁ ବୋଲି ତଦନ୍ତ ଚାଲିଛି ।” ସ୍ଥାନୀୟ ଅଞ୍ଚଳରେ ଏହି ଅଭିଯାନ ପରେ ପୋଲିସର ପଦକ୍ଷେପକୁ ଗ୍ରାମବାସୀମାନେ ସ୍ୱାଗତ ଜଣାଇଛନ୍ତି ।
