jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ସ୍ୱୀକୃତି ପାଇଁ ସୁପାରିଶ କରନ୍ତୁ ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ପୂର୍ବତନ ସାଂସଦ କଳିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର କଲେଜକୁ ଗତ ୨୦୨୦ ଜୁନ ମାସରେ ରାଜ୍ୟସରକାର ବିଶ୍ୱବିଦ୍ୟାଳୟ ଘୋଷଣା କଲେ । କିନ୍ତୁ ଘୋଷଣାର ବର୍ଷେ ପରେ ମଧ୍ୟ କେନ୍ଦ୍ରୀୟ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ମାନ୍ୟତାକୁ ପ୍ରତ୍ୟାଖ୍ୟାନ କରିଛି । ଯାହାକୁ ନେଇ ବଲାଙ୍ଗିରରେ ଛାତ୍ରସମାଜ, ରାଜନେତାମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ପାଇଁ ରାଜ୍ୟସରକାର ୟୁଜିସି କମିଶନଙ୍କୁ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ସେହି ଆବେଦନରେ ତୃଟିଥିବା ଦର୍ଶାଇ ୟୁଜିସି ସେହି ପ୍ରସ୍ତାବକୁ ଅନୁମୋଦନ ନକରି ଗତ ୨୮.୧୨.୨୦୨୦ରେ ୟୁଜିସି ଏହାକୁ ଫେରାଇ ଦେଇଥିଲେ । ଏବେ ରାଜ୍ୟସରକାର ଆବଶ୍ୟକ ତର୍ଜମା ପରେ ପୁଣିଥରେ ଆବେଦନ କରାଯାଇଛି । ତେବେ ଏହି ଘଟଣାରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଉଦବେଗ ପ୍ରକାଶ କରିବା ସହିତ କେନ୍ଦ୍ରସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଚିଠିଲେଖି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ତୁରନ୍ତ ୟୁଜିସି ମାନ୍ୟତା ଦେବାକୁ ଦାବୀ କରିଛନ୍ତି । କଳିକେଶ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ସରକାରଙ୍କ ବିଶ୍ୱବିଦ୍ୟାଳୟ ଆଇନ୧୯୮୯(ଆକ୍ଟ୫) ସେକସନ ୩୨(୧) ଅନୁଯାୟୀ ରାଜ୍ୟର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଭଳି ଏହାକୁ ବିଶ୍ୱାବିଦ୍ୟାଳୟ ଘୋଷଣା କରାଯାଇଛି । ଏହି ଆଇନ ଅନୁଯାୟୀ ୧.୬.୨୦୨୦ରୁ ରାଜେନ୍ଦ୍ରକଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିବା ବେଳେ ୧.୪.୨୦୨୧ରୁ ଜଣେ ସ୍ୱତନ୍ତ୍ର କୁଳପତି ମଧ୍ୟ ନିଯୁକ୍ତି ପାଇସାରିଛନ୍ତି । ଏହି ଚିଠିରେ କଳିକେଶ ଆହୁରି ଯୁକ୍ତି ବାଢିିଛନ୍ତି ଯେ, ଓଡିଶାରେ ଏହି ଧାରାରେ କରାଯାଇଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଯଥା- ବାଲେଶ୍ୱରର ଫକିରମୋହନ ବିଶ୍ୱବିଦ୍ୟାଳୟ, ବାରିପଦାର ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳ, ଖଲିକୋଟ ବିଶ୍ୱବିଦ୍ୟାଳୟ, ଭବାନୀପାଟଣାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦିଆଯାଇସାରିଛି । ଏମାନଙ୍କୁ ୟୁଜିସି ଆକ୍ଟ ସେକସନ ୨(ଏଫ)ରେ ୟୁଜିସି ମାନ୍ୟତା ଦିଆ ଯାଇଥିବା ବେଳେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ନଦେବାର କୌଣସି ଯଥାର୍ଥତା ନାହିଁ । ତେଣୁ କେନ୍ଦ୍ରମନ୍ତ୍ରୀ ଉକ୍ତ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ କରନ୍ତୁ ବୋଲି କଳିକେଶ ଦାବୀ କରିଛନ୍ତି ।

Leave A Reply

Your email address will not be published.