ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ

  • ବଲାଙ୍ଗିରର ତୃତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସମ୍ମୁଖ ଡବ୍ଲୁଓଡିସି ପାଭିଲିଅନ୍ ଠାରେ ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ବଲାଙ୍ଗିରର ତୃତୀୟ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟ୍‌ଘାଟ୍‌ – ୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି । ପରିଷଦର ଉପ ସଭାପତି ଝସକେତନ ଗୁରୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅଲ୍ ଓଡ଼ିଶା ରିପୋର୍ଟର୍ ଆସୋସିଏସନ୍ର ସଭାପତି ଡ଼ଃ. ସୁଧାଂଶୁ ଶେଖର ରାଉତ ଯୋଗ ଦେଇ ରାଜବୈଦ୍ୟ ସ୍ୱର୍ଗତ ଚିନ୍ତାମଣି ବେହେରାଙ୍କ ସ୍ମୃତି ଚାରଣ କରିବା ସହ ନୂଆଁଖାଇ ଏକ ଭାଇଚାରାର ମହାନ ପର୍ବ ଯାହା କେବଳ ପଶ୍ଚିମ ଓଡ଼ିଶାର ନୁହେଁ ବରଂ ଏହି ପର୍ବ ପୂର୍ବ ଓ ପଶ୍ଚିମ ଓଡ଼ିଶାରର ଦୂରତାକୁ ସଂକୁଚିତ କରୁଛି ବୋଲି ମତପୋଷଣ କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟିକା ଭାବେ ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଉପ ସଭାପତି ଗାୟତ୍ରୀ ସରାଫ ଯୋଗଦେଇ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ କୃଷିଭିତ୍ତିକ ପର୍ବରେ ଜଣେ କୃଷକକୁ ସମ୍ବର୍ଦ୍ଧିତ କରିବା ପାଇଁ ପରାମର୍ଶ ଦେଇଥିଲେ । ବଡମାଲ ଗୋଳାବାରୁଦ କାରଖାନା ଅଧିନସ୍ଥ କେନ୍ଦ୍ରୀୟ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ବିଶିଷ୍ଟ ବାଗ୍ମୀ ରାଜମଣି ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ୱର୍ଗତ ଚିନ୍ତାମଣି ବେହେରାଙ୍କ ମହନୀୟତା ସମ୍ପର୍କରେ ଆଲୋକପାତ କରିବା ସହ ନୂଆଁଖାଇର ବିଶେଷତ୍ଵ ବଖାଣି ଥିଲେ । ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଡଃ. ଲଳିତ କୁମାର ସାହୁ ଯୋଗ ଦେଇଥିଲେ । ପରିଷଦର ପ୍ରତିଷ୍ଠାତା ସଂପାଦକ କବି ନବ କିଶୋର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଆଶୁକବି ହେମନ୍ତ ଦାଶ ସଭା ସଞ୍ଚାଳନ କରିଥିଲେ । ସଦସ୍ୟ ଦୁର୍ବାଦଳ ଘିଭେଲା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭା ପ୍ରାରମ୍ଭରେ ନାଦ ନିକୁଞ୍ଜ ସଂଗୀତ ବିଦ୍ୟାଳୟର ଶିଶୁ କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ପରିଷଦର ସଦସ୍ୟ ରଞ୍ଜନ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସମାଜରେ ପ୍ରତିଷ୍ଠା ଲାଭ କରିଥିବା ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଖେଳ ପାଇଁ ଅନିମା ପଟେଲ, କବିତା ପାଇଁ ସୁଜିତ କୁମାର ଶତପଥି, ନିର୍ଭୀକ ସାମ୍ବାଦିକତା ପାଇଁ ଡଃ. ସୁଧାଂଶୁ ଶେଖର ରାଉତ, ସଂଗୀତ ପାଇଁ ଜୀବନ ପ୍ରକାଶ ଦାଶ, ଆୟୁର୍ବେଦିକ ଚିକିତ୍ସା ପାଇଁ ଦେବାନନ୍ଦ ସାହୁ, ଶ୍ରେଷ୍ଠ ସାହିତ୍ୟିକ ଭାବେ ବନବାସ ମେହେର, ମଞ୍ଚ କଳାକାର ଭାବେ ରଞ୍ଜନ କୁମାର ପାଣିଗ୍ରାହୀ, ଦିଲ୍ଲୀପ ବଳବନ୍ତରାୟଙ୍କୁ ‘ବୋଉ’ କବିତା ସଂକଳନ ଓ ନାଟ୍ୟ ନିର୍ଦ୍ଦେଶନା ପାଇଁ, ଇଂରାଜୀ କବିତା ପାଇଁ ରମେଶ ଚନ୍ଦ୍ର ପ୍ରଧାନୀ, ବୃକ୍ଷରୋପଣ ପାଇଁ ମୀନକେତନ ସାହୁ ଓ ଯୋଗ ପାଇଁ ଶିବାନନ୍ଦ ଦାଶଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର ପରିଷଦ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.