ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ତଥା ଏହାର ଆଖପାଖ ଅଞ୍ଚଳରେ ମହାମାରୀ ଏଡ଼ସ କ୍ରମଶଃ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନିୟନ୍ତ୍ରିତ ଡ୍ରଗସ ସେବନ, ବିଶୃଙ୍ଖଳିତ ଯୌନ ଜୀବନ ତଥା ଦେଶାନ୍ତରୀ ଶ୍ରମିକ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ୨୦୧୦ ଅଗଷ୍ଟ ମାସରେ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି) ସ୍ଥାପନ କରାଯିବା ପରେ ସେହିବର୍ଷ ଡିସେମ୍ବର ୧୫ ତାରିଖରୁ ଏଚଆଇଭି ପରୀକ୍ଷଣ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଲୋଇସିଂହା ଅଞ୍ଚଳର ୯୯ ଜଣ ବ୍ୟକ୍ତିଙ୍କ ଶରୀରରେ ଏଚଆଇଭି ଭୁତାଣୁ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ୬୬ ଜଣ ପୁରୁଷ, ୨୭ ଜଣ ମହିଳା ଓ ୬ ଜଣ ଶିଶୁ ଥିବା ଜଣାଯାଇଛି । ସବୁଠାରୁ ଉଦବେଗର ବିଷୟ ହେଲା ୬୬ ଜଣ ପୁରୁଷଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଲେ ଯୁବକ, ଯେଉଁ ମାନଙ୍କ ବୟସ ୨୨ ରୁ ୩୫ ବର୍ଷ ମଧ୍ୟରେ ରହିଛି । ଏଡ଼ସ ଆକ୍ରାନ୍ତ ବ୍ୟକ୍ତି ବିଶେଷଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବା ସହିତ ଟ୍ରେନ ଓ ବସ ପାସ ଯୋଗାଇ ଦିଆଯାଉଥିବା ପରୀକ୍ଷଣ କେନ୍ଦ୍ର ସୂତ୍ରରୁ ଜଣାପଡିଛି । ତେବେ ଲୋଇସିଂହା ଭଳି ଛୋଟ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ୧୫ ବର୍ଷ ମଧ୍ୟରେ ୯୯ ଜଣ ଏଡ଼ସ ରୋଗୀ ଚିହ୍ନଟ ହେବା ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ସେହିପରି ସମଗ୍ର ବଲାଙ୍ଗିର ଜିଲ୍ଲାରେ ମୋଟ ୨୨୨୪ ଜଣ ଏଡ଼ସ ରୋଗୀ ଥିବାବେଳେ ଏହି ରୋଗରେ ଅଦ୍ୟାବଧି ୩୯୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ଏଡ଼ସ ସମ୍ବନ୍ଧୀୟ ସରକାରଙ୍କ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ଅଞ୍ଚଳରେ ଆହୁରି ବ୍ୟାପକ କରାଯିବାର ଆବଶ୍ୟକତା ରହିଥିବା ସାଧାରଣରେ ଆଲୋଚନା ହେଉଛି ।