ଚିକିତ୍ସା କେନ୍ଦ୍ର ପାଇଁ ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗମ୍ଭାରୀ ଆଂଚଳିକ ଯୁବ ସଂଗ୍ରାମ କମିଟି ତଥା ଅଂଚଳବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିକିତ୍ସା କେନ୍ଦ୍ର ପାଇଁ ଡାକ୍ତର ଓ ଷ୍ଟାଫ୍‌ ନର୍ସଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଗମ୍ଭାରୀ ଆଂଚଳିକ ଯୁବ ସଂଗ୍ରାମ କମିଟି ତଥା ଅଂଚଳବାସୀ । ସୂଚନା ଅନୁସାରେ ସେମାନେ ଏ ସଂପର୍କରେ ଏକ ଦାବୀପତ୍ର ବଲାଙ୍ଗିର ସିଡ଼ିଏମ୍‌ଓଙ୍କୁ ପ୍ରଦାନ କରିବା ପାଇଁ ପହଂଚିଥିବା ବେଳେ ସିଡ଼ିଏମ୍‌ଓ ଦାବୀପତ୍ର ଗ୍ରହଣ ପାଇଁ ମନା କରିଦେବା ପରେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଗମ୍ଭାରୀ ଅଂଚଳର ପ୍ରାୟ ୨୧ ଖଣ୍ଡ ଗ୍ରାମର ପାଖାପାଖି ୪୦ ହଜାରରୁ ଅଧିକ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବେଲପଡ଼ା ବ୍ଳକ ଅନ୍ତର୍ଗତ ଏହି ପଛୁଆ ଅଂଚଳରେ ଅଧିକାଂଶ ଲୋକ ଦାଦନ ଶ୍ରମିକ, ଗରିବ, ଖଟିଖିଆ ଶ୍ରେଣୀର ଅଟନ୍ତି । ବିଭିନ୍ନ ରୋଗ ବ୍ୟାଧି ତଥା ମହାମାରୀରେ ଆକ୍ରାନ୍ତ ହେଲେ, ଗମ୍ଭାରୀ ଗ୍ରାମରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରି ସେମାନେ ଚିକିତ୍ସା ସେବାରୁ ବଂଚିତ ହେଉଛନ୍ତି । କାରଣ ଗମ୍ଭାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୨୫ ବର୍ଷ ହେଲା ସ୍ଥାୟୀ ଡାକ୍ତର ଓ ନର୍ସ ନିଯୁକ୍ତ ହୋଇନାହାନ୍ତି । ଏଠାରେ ସ୍ୱାସ୍ଥ୍ୟସେବା ପାଇଁ କିଛି ଭିତ୍ତିଭୂମି ରହିଥିଲେ ମଧ୍ୟ ତାହା କୌଣସି କାମରେ ଆସୁନାହିଁ । ଏଥିଯୋଗୁଁ ଅଂଚଳବାସୀ ଅର୍ଥାଭାବରୁ ଦୂର ଦୂରାନ୍ତରକୁ ଯାଇ ଚିକିତ୍ସା କରାଇବାକୁ ଅସମର୍ଥ ହୋଇ ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସଂପୃକ୍ତ ଅଂଚଳକୁ ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧିମାନେ ବାରମ୍ବାର ଆସୁଥିଲେ ସୁଦ୍ଧା ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଗମ୍ଭାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯଥାଶୀଘ୍ର ସ୍ଥାୟୀ ଡାକ୍ତର ଓ ନର୍ସ ନିଯୁକ୍ତି କରାଯିବାକୁ ଗମ୍ଭାରୀ ଆଂଚଳିକ ଯୁବ ସଂଗ୍ରାମ କମିଟି ତଥା ଅଂଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

Leave A Reply

Your email address will not be published.