ସାନଖେମୁଣ୍ଡି : ଆସିକା ନିକଟସ୍ଥ ବେଣିଆ ଗ୍ରାମରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରା ମାଡ଼ କରି ଗ୍ରାମବାସୀଙ୍କଠାରୁ ଧରି ନିସ୍ତୁକ ଛେଚା ଖାଇଥିବା ଜଣାପଡିଛି । ଛୁରାମାଡ଼ର ଶିକାର ହୋଇଥିବା ଯୁବକ ଜଣକ ହେଲେ ବେଣିଆ ଗ୍ରାମର ଚନ୍ଦନ କ୍ୟାମ୍ପ । ସେ କଲେଜ ଛକରୁ ନିଜ ଗ୍ରାମ ବେଣିଆକୁ ଫେରୁଥିବା ସମୟରେ ସୁନାରୀ ବନ୍ଧ ନିକଟରେ ଦୁଇ ଜଣ ବ୍ୟକ୍ତି ଅତର୍କିତ ତାଙ୍କ ବେକ ପାଖକୁ ଛୁରାମାଡ଼ କରିଥିବା ଜଣାପଡିଛି । ଛୁରାମାଡ଼ କରି ଚାଲି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ନିକଟରେ ଥିବା ଗ୍ରାମର କିଛି ଲୋକ କାବୁ କରି ନିସ୍ତୁକ ମାଡ଼ ମାରିବା ସହ ଚନ୍ଦନଙ୍କୁ ଆସିକା ମେଡିକାଲକୁ ଆଣିଥିଲେ । ଚନ୍ଦନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ପଠାଯାଇଥିବା ଜଣାପଡିଛି । ଅନ୍ୟପଟେ ଛୁରାମାଡ଼ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ଦୁଇଜଣ ହେଲେ ଚିନି ଶିଳ୍ପୀ ନୂଆଗାଁର ମଙ୍ଗୁଳୁ ପରିଡା ଓ ଅଜୟ ବିଶ୍ୱାଳ । ଉଭୟଙ୍କୁ ଗ୍ରାମର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଘଟଣାର ଖବର ପାଇ ଆସିକା ଥାନା ଅଧିକାରୀ, କୋଟିନଡା ଥାନା ଅଧିକାରୀ ଓ ଆସିକା ଏସ୍ଡିପିଓ ପହଂଚି ଉଦ୍ଧାର କରି ପ୍ରଥମେ ଆସିକା ଓ ପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ପଠାଯାଇଛି । ଗ୍ରାମର କିଛି ଲୋକଙ୍କୁ ଅଟକ ରଖି ପୋଲିସ ପଚାର ଉଚାରା ଜାରି ରଖିଥିବା ବେଳେ ଛୁରାମାଡ଼ର ପ୍ରକୃତ କାରଣ ଜଣାପଡ଼ି ନାହିଁ ।
Prev Post
Next Post