jayashree

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା : କ୍ଷତିପୂରଣ ଓ ନ୍ୟାୟ ଦାବୀରେ ରାଜପଥ ଅବରୋଧ : ପ୍ରତିଶୃତି ପରେ ହଟିଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବୀରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱ ହୀନତା ଯୋଗୁଁ ଏଭଳି ଘଟଣା ଘଟିଲା । ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଓ ଦାୟିତ୍ୱହୀନ କର୍ମଚାରୀଙ୍କୁ ନିଲମ୍ବନ ଦାବୀ କରି ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଅଞ୍ଚଳବାସୀ । ସୂଚନା ଅନୁସାରେ ଶନିବାର ଅପରାହ୍ନରେ ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ପଡ଼ିଯାଇ ଅଚେତ ହୋଇପଡ଼ିଥିଲେ । ଏହାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍ । ସେପଟେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ । ଥାନା ଅଧିକାରୀ ବାବାଶଙ୍କର ସରାଫ୍, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭିଷଣ ଭୋଇ, ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇବା ସହ ସରକାରୀ ନିୟମାନୁସାରେ ବଳକା କିଛି ଆର୍ଥିକ ସହାୟତା ତଦନ୍ତ ପରେ ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ପାଇବା ପରେ ରାସ୍ତାରୋକ ହଟିଥିଲା ।

Leave A Reply

Your email address will not be published.