ସ୍କୁଲରେ ଯୋଗାଣ କରିଥିବା ଡ୍ରେସ୍ ଓ ଜୋତା ବକେୟା ଟଙ୍କା ମିଳିନି : ନମିଳିଲେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଶିକ୍ଷା ବର୍ଷରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ଲେଖାଏଁ ସ୍କୁଲ ୟୁନିଫର୍ମ ସହ ଜୋତା, ମୋଜା ସ୍କୁଲ୍ ପରିଚାଳନା କମିଟି ତରଫରୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଦୁଃଖର ଓ ପରିତାପର ବିଷୟ ଏହି ଯେ, ଆବଶ୍ୟକ ଅର୍ଥର ମାତ୍ର ୨୦-୫୦ ଶତକଡା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହୋଇଥିବାରୁ ଉକ୍ତ ଡ୍ରେସ୍ ଓ ଜୋତା ଯୋଗାଇ ଥିବା ଦୋକାନୀଙ୍କୁ ବକେୟା ଟଙ୍କା ପୈଠ କରାଯାଇ ନାହିଁ । ଫଳରେ ଦୋକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଦୋକାନୀ ମାନେ ବକେୟା ପାଉଣା ପୈଠ ପାଇଁ ସର୍ବଦା ଚାପ ପ୍ରୟୋଗ କରାଯାଉଥିବା ବେଳେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ଟଙ୍କା ପୈଠ ପାଇଁ ତାଗିଦ୍ କରୁଛନ୍ତି । ତେଣୁ ଯୋଗାଇ ଦେଇଥିବା ଡ୍ରେସ୍ ଓ ଜୋତା ବାବଦ ବକେୟା ଟଙ୍କା ସ୍କୁଲ ଆକାଉଣ୍ଟରେ ଜମା କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବଲାଙ୍ଗିର ଡିଇଓ ଧ୍ରୁବଚରଣ ବେହେରାଙ୍କୁ ଯୋଗା ଯୋଗ କରିବାରୁ, ଖୁବଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.