jayashree

ପଦ୍ମପୁର ଉପଖଣ୍ଡରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ : ଆନ୍ଦୋଳନ ପାଇଁ ବିଜେପି ପକ୍ଷରୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି ଯେ, ପଦ୍ମପୁର ଉପଖଣ୍ଡ ଛତିଶଗଡ ସୀମାବର୍ତ୍ତୀ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ମୋଟ ୬ଟି ବ୍ଲକକୁ ନେଇ ଗଠିତ ପଦ୍ମପୁର ଉପଖଣ୍ଡରେ ଭୌଗୋଳିକ ସ୍ଥିତି ଜିଲ୍ଲା ମୁଖ୍ୟାଳୟ ବରଗଡଠାରୁ ଠିକ୍‌ ଓଲଟା । ଜଙ୍ଗଲ ଓ ପାହାଡ ଘେରା ଝାରବନ୍ଧ, ପାଇକମାଲ ବ୍ଲକରେ ପ୍ରାୟ ସମୟରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ ନେଇ ସମସ୍ୟା ଦେଖା ଦେଇଥିବା ବେଳେ ପଦ୍ମପୁର ଉପନିର୍ବାଚନ ସମୟରେ ପାଇକମାଲ ପିଏଚ୍‌ସିକୁ ସିଏଚ୍‌ସି ଘୋଷଣା ତଥା ସମସ୍ତ ଡାକ୍ତରଖାନାମାନଙ୍କରେ ଭରପୁର କର୍ମଚାରୀ, ଚିକିତ୍ସକ ନିୟୋଜିତ ହୋଇଥିବା ବେଳେ ନିର୍ବାଚନର ୨ ମାସ ନ ଯାଇଥିବାରୁ ପୁନଃ କର୍ପୁର ଉଡିଯାଇ କପଡା ପଡି ରହିଲା ଭଲି ଡାକ୍ତରଖାନା ଅଛି । କିନ୍ତୁ ଚିକିତ୍ସକ, କର୍ମଚାରୀ ଏବଂ ଔଷଧ ନାହିଁ । ଏନେଇ ବିଭିନ୍ନ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହୋଇ ସ୍ବାସ୍ଥ୍ୟ ସେବା ପାଇଁ ପାଖାପାଖି ୫୦ରୁ ୬୦ କିମି ଦୂର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କିମ୍ବା ନୁଆପଡା ମୁଖ୍ୟ ଚିକିତ୍ସାଳୟକୁ ଯାଇ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଜନସାଧାରଣ । ସେହିପରି ଆଜି ଝାରବନ୍ଧ ବ୍ଲକ ଡଭା ସିଏଚ୍‌ସିକୁ ଚିକିତ୍ସା ପାଇଁ ଆଶା ନେଇ ଯାଇଥିବା ଜଣେ ରୋଗୀ ସିଏଚ୍‌ସିରେ ଡାକ୍ତର କି କର୍ମଚାରୀ କେହି ନଥିବା ବେଳେ ତାଲା ଝୁଲୁଥିବା ଦେଖି ଝାରବନ୍ଧ ସିଏଚ୍‌ସିକୁ ଯାଇଥିଲେ । ସେଠି ମଧ୍ୟ ସମାନ ଅବସ୍ଥା ଥିବା ବେଳେ ତା ପରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଆସି ଚିକିତ୍ସିତ ହୋଇଥିଲେ । ବର୍ତ୍ତମାନ ଶ୍ରାବଣର ଜୋର ବର୍ଷା ଥିବା ସତ୍ତ୍ବେ ୬୦ କିମି ଦୂର ଯାତ୍ରା କରି ଉପଖଣ୍ଡ ଚିକିତ୍ସାଳୟକୁ ଆସିବା ରୋଗୀଙ୍କ ପାଇଁ କେତେ ଯେ କଷ୍ଟ ଦାୟକ ହୋଇଥିବ ତାହା ଆକଳନ ଅସମ୍ଭବ । ତେବେ ଔଷଧ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବ୍ୟବସ୍ଥା କରା ଯାଇଥିଲେ ମଧ୍ୟ କୌଣସି ଔଷଧ ଉପଲବ୍ଧ ନଥିବାରୁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଦୋକାନରୁ ବଞ୍ଚିତ ହୋଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ତେବେ ଏ ନେଇ ସମସ୍ୟା ଗୁଡ଼ିକର ଯଥା ଶୀଘ୍ର ସମ୍ଭବ ସମାଧାନ ପାଇଁ ଡାକ୍ତର ନିଯୁକ୍ତି ଓ ସୂଚାରୁ ରୂପେ ଔଷଧର ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ପଦ୍ମପୁର ବିଜେପି ଦଳ ପକ୍ଷରୁ ଜନ ସାଧାରଣଙ୍କ ହିତରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ପଦ୍ମପୁର ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ପ୍ରୀତେଶ କୁମାର ବହିଦାର, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ବିଜେପି ନେତା ଅଶୋକ କୁମାର ମିଶ୍ର, ଡା ନାରାୟଣ ପୁରୋହିତ, ପଦ୍ମପୁର କାଉନସିଲର କୁନାଲ ପାଣିଗ୍ରାହୀ, ଶ୍ରୀମତୀ ଜ୍ୟୋସ୍ନାରାଣୀ କର, ପ୍ରତାପ ନାଥ, ଅମିତ ଗର୍ଗ, ପ୍ରମୋଦ ମେହେର, ନରେଶ ସୁନ୍ଦର ସାହୁ, ଦିନେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.