ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସ୍ଥା ଶୋଚନୀୟ ହେବା ପରେ ବଲାଙ୍ଗିର ପୌରପାଳିକାର ଚେତା ପଶିଛି । ସହରର ଅନେକ ସ୍ଥାନରେ ଡ୍ରେନ୍‌ଗୁଡ଼ିକ ଜାମ୍‌ ହୋଇ ଯାଇଥିବା ବେଳେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ପାଟଣା ଛକକୁ ଲାଗିଥିବା ଡ୍ରେନ୍‌ରେ ପାଣି ନିସ୍କାସନ ହୋଇ ନପାରିବାରୁ ବାଧ୍ୟ ହୋଇ ପୌରପାଳିକା ପକ୍ଷରୁ ଜେସିବି ଲଗାଯାଇ ଡ୍ରେନ୍‌ ଉପରେ ଥିବା ସ୍ଲାପ୍‌ଗୁଡ଼ିକୁ ଭଂଗା ଯାଉଥିବା ଦେଖିବାକୁ ମିଳିଛି । ତେବେ ବର୍ଷା ପୂର୍ବରୁ ପୌରପାଳିକା ପକ୍ଷରୁ ସହରର ପ୍ରତ୍ୟେକ ଡ୍ରେନ୍‌ ତଦାରଖ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା କଥା । କିନ୍ତୁ ତାହା ନକରି ଏବେ ଲୋକେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପରେ ପୌରପାଳିକା ପକ୍ଷରୁ ଜେସିବି ସାହାଯ୍ୟରେ ଡ୍ରେନ୍‌ ଉପରେ ରହିଥିବା ସ୍ଲାପ ଭାଂଗି ଜଳ ନିସ୍କାସନ କରାଯାଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ପୌରପାଳିକାର କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠାଇଛନ୍ତି ସହରବାସୀ । ଏଠାରେ ସୂଚନାଯୋଗ୍ୟ ଯେ, ପୁରୁଣା ପ୍ରାଇଭେଟ୍‌ ବସ୍‌ଷ୍ଟେଣ୍ଡ ଠାରୁ ପୌରପାଳିକା କାର୍ଯ୍ୟାଳୟ ଦେଇ ପାଟଣା ଛକ ପର୍ଯ୍ୟନ୍ତ ରହିଥିବା ଡ୍ରେନ୍‌ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତୁରନ୍ତ ମରାମତି କରାଯିବାକୁ ଜନସାଧାରଣ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.