
ବରଗଡ଼, (ନିରୋଜ କୁମାର ପାଣୀ) : ଗତ ୬ ତାରିଖରେ ସରସରା ଗ୍ରାମର ଜଣେ ୬୧ ବର୍ଷୀୟ ଚାଷୀ ଶାନ୍ତିଲାଲ ଭୋଇଙ୍କ ଅକାଳ ମୃତ୍ୟୁ ଘଟିଯାଇଛି । ଚାଷ ଜମି ହିଡରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପରିବାର ଲୋକେ ଉଦ୍ଧାର କରି ବରଗଡ଼ ସଦର ହସ୍ପିଟାଲକୁ ନେଇଥିଲେ । ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରି ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାଇଥିଲେ । ଏହି ଦିନ ଚାଷୀ ଜଣକ ତାଙ୍କ ଧାନ କ୍ଷେତକୁ ସାର ଛିଞ୍ଚନ କରିବାକୁ ଯାଇ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ଚାଷ ଜମିରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ଉଦ୍ଧାର କରିଥିଲେ । ସେ ତାଙ୍କ ପଛରେ ପତ୍ନୀ ସୀତା ଏବଂ ଦୁଇ ପୁଅ ଶୁଭମ୍ ଓ ସତ୍ୟମଙ୍କୁ ଛାଡି ଯାଇଛନ୍ତି । ସେ ଜଣେ ସରଳ ମିଷ୍ଠଭାଷୀ ଚାଷୀ ଥିଲେ । ସରସରା ଜୀରା ନଦୀ କୂଳ ଶ୍ମଶାନରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ସତ୍କାର କରାଯାଇଥିଲା । ଶତାଧିକ ଗ୍ରାମବାସୀ ଏଥିରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।