
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର ରଜସଂକ୍ରାନ୍ତି ଅବସରରେ ଦ୍ୱିତୀୟ ଦିବସର ରଜପର୍ବ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥିବା ବେଳେ ଛତ୍ରପୁର ଅଞ୍ଚଳରେ ଚାଷୀକୁଳ ଉପରେ ଅନେକ କ୍ଷତି ପହଞ୍ଚାଇଥିବା ନେଇ ଏହି ଅଞ୍ଚଳରେ ରଜପର୍ବ ଏକ ପ୍ରକାର ଫିକା ପଡ଼ିଯାଇଛି । ରବିବାର ଅପରାହ୍ନ ଚାରି ଘଣ୍ଟା ବେଳେ କାଳବୈଶାଖୀର ପ୍ରକୋପ ଜନିତ ବଜ୍ରପାତ ଫଳରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ପ୍ରମୁଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଖବର ମିଳିଛି । ଅନେକ ଗଛଲତା, ବାଡ଼ିବଗିଚା ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଗୃହପାଳିତ ପଶୁପକ୍ଷୀ ମଧ୍ୟ ମୃତାହତ ହୋଇ ଚାଷୀକୁଳ ଉପରେ ଅନେକ କ୍ଷତି ପହଞ୍ଚାଇଥିବା ଦେଖାଦେଇଛି । ଘଟଣା ସ୍ଥଳରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଜରୁରୀ କାଳୀନ ବିଭାଗ କର୍ତ୍ତୃପକ୍ଷ ପହଞ୍ଚି ନଥିବା ଏକ ପ୍ରକାର ଅସନ୍ତୋଷର କ୍ଷୋଭପ୍ରକାଶ ଏବଂ ଉଦବେଗର କାରଣ ହୋଇଥିବା ଜଣାଯାଇଛି । ଜରୁରୀ କାଳୀନ ଭାବେ ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ବିପନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏପରିକି କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରି ଆକଳନ ପାଇଁ ପ୍ରଶାସନଠାରେ ଅବଗତ କରାଇଥିବା କୁହାଯାଇଛି । ଚାଷୀକୁଳ ତଥା ସମ୍ପୃକ୍ତ ଅଞ୍ଚଳର ଲୋକମାନଙ୍କୁ ବିଧାୟକ ଆଶ୍ଵାସନା ଦେଇଥିବା ଜଣାଯାଇଛି । ଅଚାନକ ଆସିଥିବା କାଳବୈଶାଖୀ ତଥା ପ୍ରକୃତିର ଏହି ତାଣ୍ଡବଲୀଳା ନେଇ ଚାଷୀକୁଳ ଉପରେ ଅନେକ ଦୁଃଖ ଓ ଦୁର୍ଦ୍ଦଶା ଆଣିଦେଇଛି । ଯାହା ଫଳରେ ରଜପର୍ବ ପାଳନ ଅବସରରେ ଉକ୍ତ ଅଞ୍ଚଳରେ ଆନନ୍ଦ ଉଲ୍ଲାସ ମଉଳି ଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ’ ରବିବାର ସନ୍ଧ୍ୟାରେ କାଳବୈଶାଖୀ, ବଜ୍ରପାତରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ଓ ନିକଟବର୍ତ୍ତୀ ସୁବେଦାର ପଲ୍ଲୀ ଅଞ୍ଚଳରେ ପାଖାପାଖି ୫୦ରୁ ଅଧିକ ଛେଳି, ମେଣ୍ଢା ମୃତାହତ ହୋଇଥିବା ଜଣାଯାଇଛି । ବିଧାୟକଙ୍କ ସହ ତାଙ୍କର ବ୍ୟକ୍ତିଗତ ସହକର୍ମୀ, ବିଧାୟକଙ୍କ ସହଯୋଗୀ ଗୋଷ୍ଠୀଙ୍କ ସମେତ ଘଟଣା ସ୍ଥଳରେ ପହଞ୍ଚି ମୃତାହତ ଗୃହପାଳିତ ପଶୁ ପକ୍ଷୀଙ୍କ ସଂଖ୍ୟା ଗଣତି କରିଥିବାର ଖବର ମିଳିଛି । ଏକା ଥରକେ ଏତେ ସଂଖ୍ୟକ ମେଣ୍ଢା ଓ ଛେଳି ଆଦି ଗୃହପାଳିତ ପଶୁପକ୍ଷୀଙ୍କ ଜୀବନ ଯିବା ପରେ ଚାଷୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି, ବୋଲି ଜଣାଯାଏ । ଖୁବ୍ ଶୀଘ୍ର ପ୍ରଶାସନ ପକ୍ଷରୁ ମୃତାହତ ଗୃହପାଳିତ ପଶୁ ପକ୍ଷୀଙ୍କ ସଂଖ୍ୟା ଆକଳନ କରି ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜନସାଧାରଣରେ ଦାବୀ ହୋଇଛି ।