ପାଟଣାଗଡ ବ୍ଲକରେ ଚାଷୀ ଆତ୍ମହତ୍ୟା, ଜିଲ୍ଲା କଂଗ୍ରେସର ଅନୁମାନ ହେଲା ସତ୍ୟ, ସରକାର କିଛିି ଠୋସ୍‌ ପଦକ୍ଷେପ ନ ନେଲେ ଚାଷୀ ଆତ୍ମହତ୍ୟା ମଧ୍ୟ ମହାମାରୀ ରୂପ ନେଇପାରେ : ଜିଲ୍ଲା କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ମରୁଡି ଆଶଙ୍କା କରାଯାଉଥିଲା । ଏହାର ପ୍ରତିକାର ପାଇଁ ସରକାର କୌଣସି ପଦକ୍ଷେପ ନ ନେବା ଯୋଗୁଁ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଅଂଚଳ ଗଜା ମରୁଡି ଦ୍ୱାରା କବଳିତ ହେଲାଣି । ଆଶଙ୍କା ମୁତାବକ ଜିଲ୍ଲାରେ ଗୋଟିଏ ଚାଷୀ ଆତ୍ମହତ୍ୟା କରି ସାରିଛନ୍ତି । ପୁଣି ପାଟଣାଗଡ ବ୍ଲକର ଧୁବଲପଡା ଗ୍ରାମ ପଂଚାୟତର ଭାଲୁଜୁରି ଗ୍ରାମର ଯୁଧିଷ୍ଟିର ଭୋଇ ମରୁଡି ଯୋଗୁଁ ଫସଲ ଉଜୁଡି ଯିବା ଫଳରେ ଗତ ୪ତାରିଖ ଦିନ ବିଷପାନ କରି ଆତ୍ମହତ୍ୟା କରି ସାରିଛନ୍ତି । ମହାଜନଠାରୁ ଋଣ ନେଇ ୫ଏକର ଜମି ଚାଷ କରିଥିଲେ କିନ୍ତୁ ତାଙ୍କ ଜମିରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବାରୁ ଚାପ ଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟଜନକ ଜିଲ୍ଲା ପ୍ରଶାସନ ଏହି ଚାଷୀ ମୃତ୍ୟୁକୁ ପରିବାରର କଳହଜନିତ ବୋଲି କହୁଛି । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ପାଟଣାଗଡ କଂଗ୍ରେସର ବିଧାୟକ ପ୍ରାର୍ଥୀ ଇଂ. ରମେଶ ପୁରୋହିତ, ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ଚାଷୀନେତା ସରୋଜ ରଥ ପ୍ରମୁଖ ଭାଲୁଜୁରି ଗ୍ରାମକୁ ଯାଇ ଆତ୍ମହତ୍ୟା କରିଥିବା ଚାଷୀଙ୍କର ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ସବିଶେଷ ତଥ୍ୟ ଉପରେ ଆଲୋଚନା କରିଥିଲେ । ଆଲୋଚନାରୁ ସ୍ପଷ୍ଟ ଜଣାପଡୁଛି ମରୁଡି ଏବଂ ଋଣଭାରରେ ଚାପଗ୍ରସ୍ତ ହୋଇ ଚାଷୀ ଯୁଧିଷ୍ଟିର ଭୋଇ ଆତ୍ମହତ୍ୟା କରିଛନ୍ତି । ମୃତକ ଯୁଧିଷ୍ଟିର ଭୋଇଙ୍କ ପରିବାର ଆଲୋଚନା ସମୟରେ ତାଙ୍କ ପରିବାର ଭିତରେ କୌଣସି ପ୍ରକାର କଳହ ନ ଥିଲା ବୋଲି ସ୍ପଷ୍ଟ ଭାବେ କହିବା ସହ ଚାଷ ଉଜୁଡି ଯିବାରୁ ଯୁଧିଷ୍ଟିର ଭୋଇ ଆତ୍ମହତ୍ୟା କରିଛନ୍ତି ବୋଲି ସ୍ପଷ୍ଟ ଭାବେ କହିଥିଲେ । କଣ୍ଟାବାଞ୍ଜି ଅଂଚଳର ଚାଷୀ ଆତ୍ମହତ୍ୟା ସମୟରେ ସଭାପତି ଦିଲିପ ବେହେରା ଅଶଙ୍କାବ୍ୟକ୍ତ କରିଥିଲେ ଯେ, ବର୍ତ୍ତମାର ମରୁଡି ପରିସ୍ଥିତିରେ ଚାପଗ୍ରସ୍ତ ସମସ୍ତ ଚାଷୀମାନଙ୍କ ପାଇଁ ଯଦି ସରକାର ସହାୟତା ପ୍ୟାକେଜ ଘୋଷଣା ନ କରନ୍ତି ତେବେ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ବଢିପାରେ । ଯାହାକି ଏବେ ପାଟଣାଗଡ ଅଂଚଳର ଚାଷୀ ଆତ୍ମହତ୍ୟାରୁ ତାଙ୍କର ଏହି ଆଶଂକା ସତ୍ୟରେ ପରିଣତ ହେବାକୁ ଯାଉଛି ତେଣୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ସରକାରଙ୍କୁ ଜିଲ୍ଲା ସଭାପତି ତଥା କିଶାନ କଂଗ୍ରେସ ସଭାପତି ଦାବୀ କରିଛନ୍ତି ଯେ, ଅତିଶୀଘ୍ର ମରୁଡି ଗ୍ରସ୍ତ ସମସ୍ତ ଅଂଚଳକୁ ଏକ ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ ପରିଦର୍ଶନ କରନ୍ତୁ ଏବଂ ଯେତେ ଶୀଘ୍ର ହେବ ସେମାନଙ୍କ ପାଇଁ ସହାୟତା ରାଶି, ଆଗାମୀ ଫସଲ ପାଇଁ ବିନା ସୁଧରେ ଋଣ, ଗତ ଚାଷରେ କରିଥିବା ଋଣକୁ ସମ୍ପୂର୍ଣ୍ଣ ମାଫ୍‌, ଚାଷୀମାନଙ୍କ ଜମିକୁ ପର୍ୟ୍ୟାପ୍ତ ପରିମାଣରେ ଜଳସେଚନର ବ୍ୟବସ୍ଥା, ମାଗଣାରେ ବିହନ ଓ ଔଷଧ ଯୋଗାଇ ଦିଅନ୍ତୁ ନଚେତ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ଏକ ମହାମାରୀର ରୂପ ନେଇପାରେ ବୋଲି ଜିଲ୍ଲା ସଭାପତି କହିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ପୀଡିତ ପରିବାର ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ମିଳୁଥିବା କେଉଁ କେଉଁ ସୁବିଧା ପାଉଛନ୍ତି ତା’ର ଉପରେ ମଧ୍ୟ ଆଲୋଚନା କରିବା ସହ ପୀଡିତ ପରିବାରଙ୍କୁ ଜିଲ୍ଲା କଂଗ୍ରେସ ତରଫରୁ ଆର୍ଥିକ ସହାୟତା କରିଥିଲେ । ଏହି କାର୍ୟ୍ୟକ୍ରମରେ କିଶାନ କଂଗ୍ରେସର ବ୍ଲକ ସଭାପତି ଗଗନ ନାଥ, ହେମନ୍ତ ସେଠ, ରଙ୍ଗାଧର ସା, ପ୍ରକାଶ ପୁରୋହିତ, ରତ୍ନାକର ସାହୁ, ଗଦନ ବରିହା, ହେମ ସାଗର ମାଝି ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.