ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ଯମୁନା ଗାଁ ଛକ ବୁଲାଣି ରାସ୍ତାରେ ଲକ୍ଷ୍ମୀ ବସ ଧକ୍କାରେ ଯମୁନା ଗ୍ରାମର ଦୁଗ୍ଧ ଚାଷୀ ହରିଶ୍ଚନ୍ଦ୍ର ମହାକୁର(୫୧) ଆହତ ହୋଇଥିବା ବେଳେ ତାଙ୍କ ବାଇକ୍ ଭାଙ୍ଗି ଚୁରମାର ହୋଇଯାଇଛି । ଯମୁନା ଗ୍ରାମ ମହାକୁରପଡାର ହରିଶ୍ଚନ୍ଦ୍ର ମହାକୁର ଯମୁନା ବସ୍ତିରେ ଥିବା ମାହେଶ୍ୱରୀ ପ୍ରାଥମିକ ଦୁଗ୍ଧ ସମବାୟ ସମିତିରେ ନିଜ ଗାଈର ଦୁଗ୍ଧ ଦେଇ ସକାଳ ୮ଟା ୪୫.ମି଼ରେ ତାଙ୍କ ହିରୋହୋଣ୍ଡା ସିଡିଡନ ବାଇକ(ଓଆର ୦୩ ଇ ୭୩୩୪)ରେ ଘରକୁ ଫେରୁଥିଲେ । ଯମୁନା ଗାଁ ମୁଣ୍ଡ ବୁଲାଣିଠାରେ ଗଡ଼ଗଡ଼ବାହାଲରୁ ମୁରିବାହାଲ ପଟକୁ ଅତି ଦୃତଗତିରେ ଯାଉଥିବା ଲକ୍ଷ୍ମୀ ବସ(ଓଡ଼ି ୦୩ ଏଏ ୩୦୭୦)ତାଙ୍କୁ ଧକ୍କା ଦେଇଥିଲା । ଫଳରେ ହରିଶ୍ଚନ୍ଦ୍ର ବାଇକରୁ ଛିଟିକି ପଡ଼ିବା ସହ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା ଓ ତାଙ୍କ ବାଇକ୍ ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଥିଲା । ଖବର ପାଇ ଯମୁନା ଗ୍ରାମର ସ୍ଵେଚ୍ଛାସେବୀମାନେ ପହଞ୍ଚି ଗୁରୁତର ହରିଶ୍ଚନ୍ଦ୍ରଙ୍କୁ ତୁରନ୍ତ ମୁରିବାହାଲ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ୨ଟି ଷ୍ଟିଚ କରି ତାଙ୍କୁ ଛାଡି ଦିଆଯାଇଥିଲା । ଦୁର୍ଘଟଣା ଖବର ପାଇ ମୁରିବାହାଲ ଥାନା ପୁଲିସ ଏଏସ୍ଆଇ ରବୀନ୍ଦ୍ର କୁମ୍ଭାରଙ୍କ ସହ ପୁଲିସ୍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ଫଳରେ ଲୋକେ ଶାନ୍ତ ପଡିଥିଲେ । ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଉଭୟ ବସ୍ ଓ ବାଇକକୁ ଜବତ କରି ଥାନାକୁ ନେଇଥିଲା । ଥାନାରେ ଉଭୟ ପକ୍ଷ ପହଞ୍ଚି ଆପୋଷ ସମାଧାନ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ବିଶେଷ କରି ଗ୍ରାମାଞ୍ଚଳର ଅଣଓସାରିଆ ରାସ୍ତାଗୁଡିକରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ ଗୁଡ଼ିକ ସବୁବେଳେ ଅତି ଦୃତଗତିରେ ଯାଉଥିବା ବେଳେ ବିନା ହର୍ଣ୍ଣ ଓ ଅନଭିଜ୍ଞ ଡ୍ରାଇଭରମାନେ ଏହାକୁ ଚଳାଉଥିବାରୁ ପୂର୍ବରୁ ମଧ୍ୟ ଅନେକଥର ଲୋକେ ଅକସ୍ମାତ୍ ଦୁର୍ଘଟଣାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି ।