ପ୍ରେମର ନାମରେ ପ୍ରତାରଣା, ପରେ ପଳାୟନ : ବ୍ୟାଙ୍କ କର୍ମଚାରୀ ଚର୍ଚ୍ଚାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲରେ ଘଟିଥିବା ଏହି ଘଟଣା ସମାଜରେ ଲୋକଙ୍କର ବିଶ୍ୱାସକୁ ହଲାଇଦେଇଛି । ଯେଉଁ ବ୍ୟକ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ ଭଳି ଏକ ଦାୟିତ୍ୱପୂର୍ଣ୍ଣ ସଂସ୍ଥାରେ କାମ କରି ଲୋକଙ୍କ ବିଶ୍ୱାସ ଜିତିବା ଉଚିତ, ସେହି ବ୍ୟକ୍ତିଙ୍କ ଦ୍ୱାରା ଏପରି ଧୋକାବାଜି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଖପ୍ରାଖୋଲ ବ୍ଲକ କଲୋନୀର ଜଣେ ଯୁବତୀଙ୍କ ସହ ପ୍ରେମର ନାମରେ ସମ୍ପର୍କ ଗଢ଼ି, ପରେ ତାଙ୍କୁ ଧୋକା ଦେବା କେବଳ ଏକ ବ୍ୟକ୍ତିଗତ ଅନୀତି ନୁହେଁ—ଏହା ସମାଜର ନାରୀ ସମ୍ମାନ ପ୍ରତି ଏକ ସିଧାସଳଖ ଆଘାତ । ଏହିପରି ଲୋକମାନେ ପ୍ରେମକୁ ଏକ ଖେଳ ବୋଲି ଭାବି, ନିଜ ସ୍ୱାର୍ଥ ପାଇଁ ଅନ୍ୟର ଭାବନାକୁ ଚୂର୍ଣ୍ଣବିଚୂର୍ଣ୍ଣ କରିଦେଉଛନ୍ତି । ସୂତ୍ରରୁ ଜଣା ପଡିଛି ଯେ, ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅନ୍ତର୍ଗତ ଡାଙ୍ଗବାହାଲ ଗ୍ରାମର ନରେନ୍ଦ୍ର ଭୋଇ ପୂର୍ବରୁ ଖପ୍ରାଖୋଲ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କରେ କେସିଅର ଭାବେ କାର୍ଯ୍ୟରତ ଥିଲେ । ସେହି ସମୟରେ ଖପ୍ରାଖୋଲ ବ୍ଲକ କଲୋନୀର ଜୈନିକ ଯୁବତୀଙ୍କ ସହ ପ୍ରେମର ଖେଳ ଖେଳିଥିଲେ । ଖପ୍ରାଖୋଲରୁ ନରେନ୍ଦ୍ର ଭୋଇକୁ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ତାଲପାଲି ଷ୍ଟେଟବ୍ୟାଙ୍କ ଶାଖାକୁ ବଦଳି ହୋଇଥିଲା । ଯୁବକ ଜଣକ ଯୁବତୀକୁ ପ୍ରତାରଣା କରିବା ଆରମ୍ଭ କରିଦେଇଥିଲେ ଏବଂ ଅନ୍ୟତ୍ର ବାହା ହେବା ପାଇଁ ସବୁ ଠିକ ହେଲା ପରେ ଘଟଣାର ଖବର ପାଇ ଯୁବତୀ ଜଣକ ନ୍ୟାୟ ପାଇଁ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଅନ୍ୟପଟେ ଅଭିଯୁକ୍ତ ନରେନ୍ଦ୍ର ଭୋଇ ଫେରାର ହୋଇଯିବା ତାଙ୍କ ଦୋଷକୁ ଆଉ ଗଭୀର କରିଛି । ସ୍ଥାନୀୟ ପୁଲିସ ପ୍ରଶାସନଙ୍କୁ ଏହି ମାମଲାରେ ଶୀଘ୍ର ଓ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ନଚେତ ଏପରି ଘଟଣା ଆଗାମୀ ଦିନରେ ଆଉ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.