ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଲଖମରା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ମାସରେ ହେବାକୁ ଥିବା ବୋର୍ଡ଼ ପରୀକ୍ଷାରେ ବିଦ୍ୟାର୍ଥୀଙ୍କୁ ନୂତନ ଦିଗଦର୍ଶନ ଦେବା ପାଇଁ ଏକ ନୂତନ ଅଭିନବ ପ୍ରୋଗ୍ରାମ “ପରୀକ୍ଷା ପେ ଚର୍ଚ୍ଚା” ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରିନସିପାଲ ବିଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜମଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନସିପାଲ ତଥା ଇତିହାସ ଅଧ୍ୟାପକ ବିରଜା ପ୍ରସାଦ ଦଳପତ, ଅଂଚଳ ମହାବିଦ୍ୟାଳୟ ପଦ୍ମପୁରର ଇଂରାଜୀ ଅଧ୍ୟାପକ ସମୀର ନାଗ, ଅର୍ଥନୀତି ଅଧ୍ୟାପକ ଲଲାଟେନ୍ଦୁ ପ୍ରଧାନ, ତୋରା ଊଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷା ବିଭାଗ ଅଧ୍ୟାପିକା ଜୁଲନା ପତି, ଓ ଝାରବନ୍ଧ ମହା ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ମନୋଜ ସାଗର ଯୋଗଦାନ କରି ଉପସ୍ଥିତ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ପ୍ରସ୍ତୁତି ସମ୍ୱନ୍ଧୀୟ ଆଲୋଚନା କରିବା ସହ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅଧ୍ୟାପକ, ଅଧ୍ୟାପିକାମାନେ ବିଦ୍ୟାର୍ଥୀଙ୍କ ସନ୍ଦେହ ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଧର୍ମେନ୍ଦ୍ର ଖମାରୀ ସଂଯୋଜନା କରିଥିବାବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।