
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପବିତ୍ର କାର୍ତ୍ତିକବ୍ରତ ସମାପ୍ତି, ରାସ-ପୂର୍ଣ୍ଣମୀ ତା.୮/୧୧/୨୦୨୨ ରିଖ ମଙ୍ଗଳବାର ଦିନ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ନିମନ୍ତେ ବିଧିମତେ ପାଳନୀୟ ବୋଲି ଉତ୍କଳୀୟ ପ୍ରସିଦ୍ଧ ତଥା ଶ୍ରୀମନ୍ଦିର ମୁକ୍ତିମଣ୍ଡପ ବିଜ୍ଞ-ପଣ୍ଡିତସଭା ଏବଂ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ୱାରା ସ୍ୱୀକୃତି ଲାଭ କରିଥିବା ଆଦ୍ୟଗୁରୁ ପ୍ରତିଷ୍ଠାତା ସ୍ୱର୍ଗତ ଜ୍ୟୋତିର୍ବିଦ ରାଜୀବ ଶତପଥୀଙ୍କ ଶ୍ରୀରାଧାରମଣ ପ୍ରେସ ପଞ୍ଜିକାରେ ଉଲ୍ଲେଖ ରହିଛି । ଚନ୍ଦ୍ରଗ୍ରହଣ ସମ୍ପର୍କରେ ଚଳନ୍ତି ବର୍ଷର ଶ୍ରୀ ରାଧାରମଣ ପଞ୍ଜିକାର ପୃଷ୍ଠା ୮ରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଦିନ ଗ୍ରହଣର ଆଦ୍ୟନ୍ତକାଳ ୩ ଘଣ୍ଟା-୪୦ମି ୩୩ ସେକଣ୍ଡ ଅଟେ । ପୁରୀ ଧାମ ସମୟାନୁଯାୟୀ ଏହା ଦିବା ଦ୍ଵି-ପ୍ରହର ଅର୍ଥାତ ଦିବା ୨ ଘଣ୍ଟା ୩୮ମି.୧୪ ସେକେଣ୍ଡରେ ଦକ୍ଷିଣ ପୂର୍ବଦିଗରୁ ସ୍ୱର୍ଶ ଆରମ୍ଭ ହେବ । ସନ୍ଧ୍ୟା ୬ ଘଣ୍ଟା ୧୮ମି. ୪୭ ସେକେଣ୍ଡରେ ଗ୍ରହଣ (ଉତ୍ତର ବାୟୁବ୍ୟ କୋଣରେ) ସର୍ବମୋକ୍ଷ ହେବ । ସୂର୍ଯ୍ୟାସ୍ତ ପୂର୍ବରୁ ଏହି ଗ୍ରହଣ ଆରମ୍ଭ ହୋଇ ସୂର୍ଯ୍ୟାସ୍ତ ପରେ ଏହି ଗ୍ରହଣ ସର୍ବମୋକ୍ଷ ହେଉଥିବାରୁ ଏହାକୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ କୁହାଯାଏ ।
ପଣ୍ଡିତ ସର୍ବସ୍ୱଗ୍ରନ୍ଥ (ଆଦିଗ୍ରନ୍ଥ) ପୃଷ୍ଠା -୧୩୬ରେ ଉଲ୍ଲେଖ ଅଛି ଯେ, ସୂର୍ଯ୍ୟପରାଗ ଲାଗିବାର ୪ ପ୍ରହର ମଧ୍ୟରେ ଏବଂ ଚନ୍ଦ୍ରଗ୍ରହଣ ଲାଗିବାର ତିନି ପ୍ରହର ମଧ୍ୟରେ ଅନ୍ନ-ଭୋଜନ କରିବା ଉଚିତ ନୁହେଁ । ସେହିପରି ଭାଷାକୋଷ ଅନୁଯାୟୀ ପ୍ରହର ଅର୍ଥ କହିଲେ, ୩ଘଣ୍ଟାକୁ ବୁଝାଏ । ଅର୍ଥାତ ସୂର୍ଯ୍ୟପରାଗର ୧୨ଘଣ୍ଟା ପୂର୍ବରୁ ଓ ଚନ୍ଦ୍ରଗ୍ରହଣର ୯ଘଣ୍ଟା ପୂର୍ବରୁ ପାକତ୍ୟାଗ, ଅନ୍ନ-ଭୋଜନ, ଦେବନୀତି ଆଦି ନିଷେଧ ଅଟେ । ସର୍ବୋପରି ଏହି ଉକ୍ତି ଅନୁସାରେ ଉକ୍ତ ଗ୍ରହଣ ତା.୮/୧୧/୨୦୨୨ ରିଖ ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ୧୮ମିନଟ ୪୭ସେକଣ୍ଡରେ ସର୍ବମୋକ୍ଷ ହେଉଅଛି । ତେବେ ଏହି ଚନ୍ଦ୍ରଗ୍ରହଣର ଠିକ ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ସକାଳ ୮ଘଣ୍ଟା ୧୯ମିନଟ ଠାରୁ ସନ୍ଧ୍ୟା ୬ ଘଣ୍ଟା ୧୯ ମିନଟ ପର୍ଯ୍ୟନ୍ତ ଅନ୍ନ-ଭୋଜନ, ପାକତ୍ୟାଗ, ଦେବନୀତି ଆଦି ନିଷେଧ ବୋଲି ଶାସ୍ତ୍ରୀୟ ବିଧିମତେ କୁହାଯାଇଛି । ଶ୍ରୀ ରାଧାରମଣ ପ୍ରେସ ପଞ୍ଜିକାର ସହାୟକ ଗଣକ ଜ୍ୟୋତିର୍ବିଦ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ ଏ ସମ୍ବନ୍ଧୀୟ ମତପ୍ରକାଶ କରିଛନ୍ତି ।