ଚାନ୍ଦଲିପାହାଡ ପର୍ଯ୍ୟଟନ ସ୍ଥଳିକୁ ଜିଲ୍ଲାପାଳଙ୍କ ପରିଦର୍ଶନ

  • ଉନ୍ନୟନ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା
  • ଡ୍ରୋନସର୍ଭେ ସହ ଡିପିଆର ପ୍ରସ୍ତୁତ କରିବାକୁ ପର୍ଯ୍ୟଟନ ଅଧିକାରୀଙ୍କୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢର ଚାନ୍ଦଲିପାହାଡକୁ ରାଜ୍ୟସରକାର ଗତ ୧୦ ତାରିଖରେ ପର୍ଯ୍ୟଟନ ସ୍ଥଳି ଘୋଷଣା କରିଛନ୍ତି । ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ନେଇ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଚନ୍ଦଲିପାହାଡ ଓ ଭୁଲିଆକଟକୁ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଏହାର ଉନ୍ନୟନ ନେଇ ଡ୍ରୋନସର୍ଭେ କରାଇବା ସହିତ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଓ ଦେଓଗାଁ ବିଡିଓଙ୍କୁ ନିର୍ଦ୍ଦେଶ କରିଛନ୍ତି । ଦିନ ୧୨ଟାରେ ଜିଲ୍ଲାପାଳ ଚାନ୍ଦଲିପାହାଡକୁ ପହଞ୍ଚିବା ପରେ ଚାନ୍ଦଲିପାହାଡ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର ଓ ଅଞ୍ଚଳବାସୀ ଜିଲ୍ଲାପାଳ ଶ୍ରୀ ଇସଲୱାରଙ୍କୁ ଭବ୍ୟସ୍ୱାଗତ କରିଥିଲେ । ଆଲୋଚନା କାଳରେ ଶ୍ରୀ ମେହେର ଚାନ୍ଦଲିପାହାଡରେ ଏକ ଯାତ୍ରୀନିବାସ, ସର୍ବସାଧାରଣ ଟୟଲେଟ, ପୂର୍ତ୍ତରାସ୍ତାରୁ ଚାନ୍ଦଲିପାହାଡ ପର୍ଯ୍ୟନ୍ତ ଆଲୋକିକରଣ, ବ୍ୟାପକ ବନୀକରଣ, ଚାନ୍ଦଲିପାହାଡଠାରେ ଜଙ୍ଗଲବିଭାଗ ପକ୍ଷରୁ ଏକ ନର୍ସରୀ ସ୍ଥାପନ, ଭୁଲିଆକଟାର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ରାମନାଳାରେ ଦୁଇଟି ଚେକ ଡ୍ୟାମ ନିର୍ମାଣ କରିବା । ପାହାଡ ଉପରେ ଏକ ଭବ୍ୟ ହନୁମାନ ମନ୍ଦିର ନିର୍ମାଣ, ପାହାଡରେ ଥିବା ପ୍ରାକୃତିକ ଗୁମ୍ଫାଗୁଡିକର ସଫେଇକାମ କରାଯିବାକୁ ସ୍ଥାନୀୟଲୋକଙ୍କ ପକ୍ଷରୁ ଦାବି ରଖିଥିଲେ । ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଏଗୁଡିକର ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ଇସଲୱାର ପ୍ରତିଶୃତି ଦେଇଥିଲେ । ଏଠାରୁ ସେ ଭୁଲିଆକଟା (ମେହେରକଟା)କୁ ମଧ୍ୟ ପରିଦର୍ଶନ କରି ଜଙ୍ଗଲ ବିଭାଗ ପକ୍ଷରୁ ରାଜ୍ୟସରକାରଙ୍କୁ ପଠାଯାଇଥିବା ୬କୋଟି ୭୬ ଲକ୍ଷ ଟଙ୍କାର ଡିପିଆରକୁ କାର୍ଯ୍ୟାକାରୀ କରିବାକୁ ରାଜ୍ୟସରକାରଙ୍କୁ ଜିଲ୍ଲାପାଳ ପଠାଇବେ ବୋଲି କହିଥିଲେ । ପ୍ରକାଶ ଯେ, ଦେଷଣ୍ଢ ଅଞ୍ଚଳ ସରକାରଙ୍କ ଆଦିବାସୀ ମାଡା ପକେଟ ଯୋଜନାରେ ରହିଛି । କିନ୍ତୁ ତଥାପି ଶହଶହ ସଂଖ୍ୟାରେ ଲୋକ ଏଠାରୁ ଦାଦନ ଖଟିବାକୁ ଯାଉଛନ୍ତି । ଚାନ୍ଦଲିପାହାଡର ତଥା ଭୁଲିଆକଟାର ପର୍ଯ୍ୟଟନ ସ୍ଥଳିର ବିକାଶ ହେଲେ ଏହି ଅଞ୍ଚଳର ଲୋକ ଏଠାରୁ ରୋଜଗାର ପାଇବେ ବୋଲି ଉପସ୍ଥିତ ମହିଳାମାନେ ଜିଲ୍ଲାପାଳଙ୍କ ପାଖରେ ଦାବି କରିଥିଲେ । ଏହା ସହିତ ଦେଷଣ୍ଢ ଗାଁରେ ପାନୀୟଜଳର ସୁବିଧା ପାଇଁ ମଧ୍ୟ ମହିଳାମାନେ ଜିଲ୍ଲାପାଳଙ୍କ ପାଖରେ ଦାବି ରଖିଥିଲେ । ଏହି ପର୍ଯ୍ୟଟନ ସ୍ଥଳିକୁ ଖୁବ ଶୀଘ୍ର ଇକୋଟୁରିଜମରେ ସାମିଲ କରାଯିବାକୁ ପ୍ରସ୍ତାବ ପଠାଯିବ ବୋଲି ଆଲୋଚନା ହୋଇଥିଲା । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଦେଓଗାଁ ବିଡିଓ ପ୍ରୀୟରଂଜନ କୁମ୍ଭାର, ଜିଲ୍ଲା ପର୍ଯ୍ୟଟନଅଧିକାରୀ ଦାୟିତ୍ୱରେ ଥିବା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର, ଦେଷଣ୍ଢ ସରପଞ୍ଚ ଯଶୋଦା ମେହେର, ପୂର୍ବତନ ସରପଞ୍ଚ ସ୍ୱୟଂମ୍ବର ମେହେର, ସଂଗଠକ ଘାସିରାମ ରଣା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସାଏ, ରାଧେଶ୍ୟାମ ମେହେର, ଦୀନବନ୍ଧୁ ମେହେର, ରଘୁ ରଣା, ଅଶୋକ କୁମାର ସାଏ, ଇନ୍ଦ୍ରଜିତ ରାଉତ, କଳାକାର ବେହେରା, ରବିନ୍ଦ୍ର ସାଏ, ରାଜେନ୍ଦ୍ର ସାଏ, ମନୋରଂଜନ ନାଏକ, ତ୍ରିଲୋଚନ ରଣା ଓ ବୀରବଲ ରଣା, ଗୌରାଙ୍ଗ ମେହେର, ବିଦ୍ୟାଧର ନାଏକ, ସନ୍ତୋଷିନୀ ରଣା, ଜ୍ୟୋସ୍ନା ନାଏକ, ଗୋପିନାଥ ରାଉତ ପ୍ରମୁଖଙ୍କ ସହ ଶତାଧିକ ପୁରୁଷ, ମହିଳା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.