ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ କରୁଆଁଝର ନିକଟସ୍ଥ ବ୍ରିଜ ଉପରୁ ତଳେ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ପରିଚୟ ଫୁଲଝର ଗ୍ରାମର ହେମନ୍ତ ଶବର (୫୫) ବୋଲି ଜଣାପଡିଛି । ସୂଚନା ଅନୁସାରେ, ସେ ରବିବାର ଦିନ ପରିବାର ସହ ସେମେଲପାଲି ଗ୍ରାମକୁ ବାହାଘର ଅବସରରେ ଯାଇଥିଲେ । ମଙ୍ଗଳବାର ସନ୍ଧ୍ୟାରେ ସେ ପରିବାର ସଦସ୍ୟଙ୍କୁ ପ୍ରଥମେ ଘରକୁ ପଠାଇ “ମୁଁ ପରେ ଆସୁଛି” ବୋଲି କହି ସାଇକେଲରେ ନିଜ ଘରକୁ ଫେରୁଥିଲେ । କରୁଆଁଝର ବ୍ରିଜ ନିକଟରେ ପହଞ୍ଚି ବିଶ୍ରାମ ପାଇଁ ସାଇକେଲକୁ ପାଖକୁ ରଖି ବ୍ରିଜ ଉପରେ ବସିଥିବାବେଳେ ହଠାତ୍ ଭାରସାମ୍ୟ ହରାଇ ସେ ତଳକୁ ପଡିଯାଇଥିଲେ । ବ୍ରିଜ ଉପରୁ ତଳକୁ ପଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ବୁଧବାର ସକାଳେ କିଛି ସ୍ଥାନୀୟ ଲୋକ ଶୌଚ ପାଇଁ ଯାଉଥିବା ସମୟରେ ବ୍ରିଜ ତଳେ ମୃତଦେହକୁ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଲାଠୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଏନେଇ ଲାଠୋର ଥାନାରେ ଯୁଡି କେସ ନଂ ୨/୨୦୨୬ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଲାଠୋର ଥାନାଧିକାରୀ ଅଭିନାଶ ପଧାନ ସୂଚନା ଦେଇଛନ୍ତି ।
Prev Post
Next Post