- ନରସିଂହଙ୍କୁ ଭେଟି ଦାବୀପତ୍ର ଦେଲେ ଅଖିଳ ଭାରତୀୟ ଅଘରିଆ ସମାଜ
- ସମସ୍ୟାକୁ ନେଇ ବିଭାଗୀୟ ସଚିବଙ୍କ ସହ ହେବ ଆଲୋଚନା : ନରସିଂହ
- ଦରକାର ପଡିଲେ ବିଧାନସଭାରେ ହେବ ଲଢେଇ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଝାରସୁଗୁଡା ଉପନିର୍ବାଚନ ସମୟରେ ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ଅଘରିଆ ଭବନ ନିର୍ମାଣ ପାଇଁ ଅଧା ଏକର ଜମି ଏବଂ ଅଘରିଆ ସମାଜର ମଙ୍ଗଳ ତଥା ଅନ୍ୟାନ୍ୟ ସମାଜିକ କାର୍ଯ୍ୟ ପାଇଁ ୩ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ । ସେ ସମୟରେ ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଥିଲା ଯେ ଅଖିଳ ଭାରତୀୟ ଅଘରିଆ ସମାଜ ଓଡିଶା ରାଜ୍ୟ କର୍ମକର୍ତ୍ତାମାନେ ଭୁବନେଶ୍ୱର ଆସି ବିଭିନ୍ନ ସ୍ଥାନରେ ଜାଗା ଦେଖି ଉପଯୁକ୍ତ ଜାଗାକୁ ବାଛିବା ପରେ ଜମିକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆ ହେବ କିନ୍ତୁ ବଡମ୍ବନାର ବିଷୟ ଭୁବନେଶ୍ୱରରେ ଥିବା ଏକ ସଂଗଠନ ଅଗ୍ରଗାମୀ । ଯେଉଁ ସଂଗଠନ କି ଅଘରିଆ ସମାଜର ଉନ୍ନତି ପାଇଁ କୌଣସି କାମ କରେ ନାହିଁ ତାହା ଏକ ମନୋରଂଜନ ଧର୍ମୀ ସଂଗଠନ ଯେଉଁଥିଲେ ସରକାରୀ କର୍ମଚାରୀ, ବଡ ବଡ ବ୍ୟବସାୟୀ ତଥା କିଛି ଅବସରପ୍ରାପ୍ତ ଅଫିସର ସଭ୍ୟ ଅଛନ୍ତି । ସେହି ସଂଗଠନ ଏହି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜମି ଓ ଅନୁଦାନ ରାଶିକୁ ଚଞ୍ଚକତା କରି ନିଜ ନାଁରେ କରେଇ ନେବାରେ ବସିଛନ୍ତି । ଯଦିଓ ଜମିଟି ଏ ପର୍ଯ୍ୟନ୍ତ ସଂଗଠନ ନାଁରେ ରେଜିଷ୍ଟ୍ରି ହୋଇନାହିଁ କିନ୍ତୁ ତାଙ୍କ ନାଁ ଏଲଟମେଣ୍ଟ ହୋଇଥିବା ସୂଚନା ଅଛି । ତେଣୁ ଆଜି ଅଖିଳ ଭାରତୀୟ ଅଘରିଆ ସମାଜର ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ନେତୃତ୍ୱରେ ଓଡିଶା ଅଘରିଆ ସମାଜର ସମସ୍ତ ଗୁଡି ଓ ମଣ୍ଡଳର ୪୦ ଜଣ କର୍ମକର୍ତ୍ତା ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏହାର ସମାଧାନ ପାଇଁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ଏହି ଦାବୀପତ୍ରରେ ଅନୁରୋଧ କରିଛନ୍ତି ଯେ, ଏ ଜମି ହସ୍ତାନ୍ତରିତ କରିବା ପାଇଁ ସରକାର ଦେଇଥିବା ନିର୍ଦ୍ଦେଶନାମାକୁ ଅବୈଧ ଘୋଷଣା କରି ଜମି ଓ ଅନୁଦାନ ରାଶି ଅଖିଳ ଭାରତୀୟ ଅଘରିଆ ସମାଜ ଓଡିଶା ପ୍ରଦେଶ ଟ୍ରଷ୍ଟ ନାଁରେ ପ୍ରଦାନ କରାଯାଉ । ଦାବୀପତ୍ର ଗ୍ରହଣ ଓ ଆଲୋଚନା ପରେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ଅଘରିଆ ସମାଜ ପ୍ରାୟତଃ ପଶ୍ଚିମ ଓଡିଶାରେ ବସବାସ କରନ୍ତି । ଏହି ସମାଜ ସଂଗଠିତ ହୋଇ ଏ ଅଂଚଳରେ ରହୁଥିବା ତାଙ୍କ ସମାଜର ଲୋକଙ୍କ ଅର୍ଥନୈତିକ ସଂସ୍କୃତିକ ତଥା ସମାଜିକ ବିକାଶ କରିବାରେ କାମ କରନ୍ତି । ଏହା ସମସ୍ତଙ୍କୁ ଜଣା । ଯଦି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜମି ଅନ୍ୟ ଏକ ସଂଗଠନ ହଡପ କରିବାର ମସୁଧା କରୁଛି ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ । ଏହାକୁ ନେଇ ନିଶ୍ଚିତ ଭାବରେ ବିଭାଗୀୟ ସଚିବ ଓ ଅଧିକାରୀମାନଙ୍କ ସହ ଏହାର ସଫଳତା ଦିଗରେ ଆଲୋଚନା କରି ପଦକ୍ଷେପ ନେବେ । ଯଦି ଆବଶ୍ୟକ ପଡେ ଆଗାମୀ ୨୨ ତାରିଖ ରେ ହେଉଥିବା ବିଧାନସଭା ଅଧିବେଶନ ସମୟରେ ଜୋରଦାର ଲଢେଇ ହେବ ବୋଲି ସେ ଉପସ୍ଥିତ ଅଘରିଆ ସମାଜର କର୍ମକର୍ତ୍ତାଙ୍କୁ ପ୍ରତିଶୃତି ଦେଇଥିଲେ । ସେ ଆହୁରି ମଧ୍ୟ କହିଥିଲେ ନିର୍ବାଚନ ସମୟରେ କରିଥିବା ଏହି ଘୋଷଣା ପ୍ରକୃତରେ ଅଖିଳ ଭାରତୀୟ ଅଘରିଆ ସମାଜ ଓଡିଶା ପ୍ରଦେଶ ପାଇଁ ଉଦ୍ଦିଷ୍ଟ ଥିଲା କିନ୍ତୁ ଅନ୍ୟ ଏକ ସଂଗଠନ ଏହାକୁ ହଡପ କଲେ ଚଳିବ ନାହିଁ । ଏହି ଚଞ୍ଚକତାରେ ଯେତେ ବଡ ଅଧିକାରୀମାନେ ସାମିଲ ଥାଆନ୍ତୁ ତାର ପର୍ଦ୍ଦାଫାସ କରାଯିବ ଏବଂ ପ୍ରକୃତ ସମାଜକୁ ଜମି ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ସେ କହିଥିଲେ । ବିଧାୟକଙ୍କୁ ଦାବୀପତ୍ରପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ଜିଲ୍ଲା ସଂପାଦକ ଦିଗାମ୍ବର ନାଏକ, ଉପଦେଷ୍ଟା ଦ୍ୱାରିକାନାଥ ପଟେଲ, ହରିଶଙ୍କର ସାଏ, ଚିତ୍ତ ରଂଜନ ପଟେଲଙ୍କ ସମେତ ୪୦ରୁ ଉର୍ଦ୍ଧ ସଦସ୍ୟ ଉପସ୍ଥିତ ଥିଲେ ।