୪୮ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ସ୍ୱିମିଙ୍ଗ ଆସୋସିଏସ୍‌ନର ମିଳିତ ଆନୁକୂଲ୍ୟରେ ଆୟୋଜିତ ୪୮ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ୍‌ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି । ବିଜୁ ପଟ୍ଟନାୟକ ସ୍ୱିମିଙ୍ଗପୁଲ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ ଦିନିଆ ପ୍ରତିଯୋଗିତା ଲାଗି ବିଭାଗ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଖେଳାଳି ଓ ଅଫିସିଆଲ ମାନଙ୍କ ରହିବା, ଖାଦ୍ୟପେୟ ଓ ପ୍ରତିଯୋଗିତାର ସୁପରିଚାଳନା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତିଯୋଗିତା ଲାଗି ବିଭିନ୍ନ ରାଜ୍ୟରୁ ଖେଳାଳି ଓ ଅଫିସିଆଲ ମାନେ ବିମାନ ଓ ରେଳ ଯୋଗେ ଆସି ରାଜଧାନୀରେ ପହଞ୍ଚିଛନ୍ତି । ବିଭିନ୍ନ ହୋଟେଲ, କିଟ ବିଶ୍ୱବିଦ୍ୟାଳୟର ଅତିଥି ଶାଳା ଓ ହଷ୍ଟେଲରେ ସେମାନଙ୍କର ରହିବା ବ୍ୟବସ୍ଥା ହୋଇଛି । ଏହି ପ୍ରତିଯୋଗିତାରେ ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳରୁ ମୋଟ ୮୫୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି । ସ୍ୱିମିଙ୍ଗରେ ୨୫୪ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୫୨୮ ଜଣ ପ୍ରତିଯୋଗୀ ରହିଥିବା ବେଳେ ୱାଟର୍ ପୋଲୋରେ ୧୦୫ ଜଣ ମହିଳା ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୩୨୫ ଜଣ ପ୍ରତିଯୋଗୀ ରହିଛନ୍ତି । ପ୍ରତିଯୋଗିତା ନିମନ୍ତେ ୭୫ଜଣ ଟେକ୍ନିକାଲ ଅଧିକାରୀ ଏବଂ ୫୦ ଜଣ ସହାୟକ କର୍ମଚାରୀ ରହିଛନ୍ତି । ଓଡିଶାରୁ ୧୨ ଜଣ ବାଳକ ଓ ୮ ଜଣ ବାଳିକା ସମେତ ମୋଟ ୨୦ ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଆସନ୍ତା କାଲି ପୂର୍ବାହ୍ନରୁ ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନରେ କ୍ରୀଡ଼ା ଓ ଯୁବସେବାମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହେବ । ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଚାମ୍ପିଅନସିପ୍‌ ଅବସରରେ କଳାହାଣ୍ଡିରୁ ଆସିଥିବା କଳାକାରଙ୍କ ଦ୍ୱାରା ଘୁମୁରା ନୃତ୍ୟ ପରିବେଷଣ କରାଯିବ ।

Leave A Reply

Your email address will not be published.