ଟିଟିଲାଗଡ଼ ଠାରେ ଆୟୋଜିତ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲଡିଂ ଚାମ୍ପିଅନସିପରେ ଉତ୍କଳ ଶ୍ରୀ ୨୦୨୬ ହେଲେ ପୁରୀର ଜଗନ୍ନାଥ ଖୁଣ୍ଟିଆ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ସହିଦ ଜିମନାସୀୟମ୍ ତରଫରୁ ରାଜ୍ୟ ସ୍ତରୀୟ ସୂର୍ଯ୍ୟମଣି ପାଢ଼ୀ ମେମୋରିଆଲ ବଡି ବିଲ୍ଡିଙ୍ଗ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ବଡି ଵିଲ୍ଡିଂ ଆସୋସିଏସନର ସମ୍ପାଦକ ପ୍ରସନ୍ନ ମହାସୁଆର, ସହସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ଗୁରୁ, ସହିଦ ଜିମ ନାସୀୟମର ସଭାପତି ରବି କିରଣ ସ୍ୱାଇଁ ଏବଂ ଉପଦେଷ୍ଟା କମ୍ବୁପାଣି ପାଢ଼ୀ ମଞ୍ଚାସିନ ହୋଇଥିଲେ । ତା’ପରେ ବୀର ହନୁମାନ, ମା’ ଭାରତୀଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ସନତ ପାଢ଼ୀ । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ନିଜର ଦମଦାର ପ୍ରଦର୍ଶନ କରିଥିବା ପୁରୀର ଜଗନ୍ନାଥ ଖୁଣ୍ଟିଆ ଉତ୍କଳ ଶ୍ରୀ ୨୦୨୬ ର ବିଜେତା ହୋଇଛନ୍ତି । ଉତ୍କଳ ଶ୍ରୀ ପ୍ରତିଯୋଗିତା ଅନୁଷ୍ଠିତ ହେବା ପୂର୍ବରୁ ୫୦ କିଲୋଗ୍ରାମ ଓଜନ ଠାରୁ ୧୦ ଟି ଶ୍ରେଣୀ ଓଜନର ଶ୍ରେଣୀ ରହିଥିଲା । ବିଭିନ୍ନ ବିଭାଗର ପ୍ରତିଯୋଗୀ ନିଜ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରିଥିବା ବେଳେ ତଳେ ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ଅତିଥିମାନେ ଏହି ପ୍ରତିଯୋଗିତା ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ବିଜେପି ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେପି ନେତା ମୁକେଶ କୁମାର ଜୈନ, ନଗର ସଭାପତି ସୁନିଲ ଆଚାର୍ଯ୍ୟଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ହୋଇଥିଲେ । ତେବେ କିଛି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳିଙ୍କୁ ପୁରସ୍କୃତ କରି ଫେରିଥିଲେ ମୁଖ୍ୟ ଅତିଥି । ତେବେ ମୁଖ୍ୟ ଅତିଥି ଯିବାପରେ ଆଉ ବିଭିନ୍ନ ବର୍ଗର ଓଜନ ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଭିନ୍ନ ବର୍ଗରେ ପ୍ରଥମ ସ୍ଥାନ ଅକ୍ତିଆର କରିଥିବା ଖେଳାଳିଙ୍କୁ ନେଇ ଉତ୍କଳ ଶ୍ରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ନିଜର ଶାରୀରିକ ଗଠନ, ଆତ୍ମବିଶ୍ୱାସ ଓ ମଞ୍ଚ ପ୍ରଦର୍ଶନରେ ବିଚାରକ ମଣ୍ଡଳୀଙ୍କ ମନକୁ ଜିଣି ଉତ୍କଳ ଶ୍ରୀ ୨୦୨୬ ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ ।