
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବୁଧବାର ସନ୍ଧ୍ୟା ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ରେଳ ଷ୍ଟେସନ୍ ପୂର୍ବରୁ ତୁଲାଗାଁ ରେଳ ଫାଟକ ନିକଟରେ ଆଲେପି – ଧାନବାଦ୍ ଏକ୍ସପ୍ରେସ୍ ଟ୍ରେନ୍ରୁ ଜଣେ ଅଜଣା ବ୍ୟକ୍ତି ଖସି ପଡି ମୃତ୍ୟୁ ଘଟିଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନାନୁଯାୟୀ ଆଲେପି – ଧାନବାଦ ଏକ୍ସପ୍ରେସ ଯାଉଥିବା ସମୟରେ ନର୍ଲା ନିକଟସ୍ଥ ତୁଲାଗାଁ ଫାଟକ ନିକଟରେ ଜଣେ ଅଜଣା ବ୍ୟକ୍ତି ଟ୍ରେନରୁ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରି ସୂଚନା ଦେବା ପରେ ତୁରନ୍ତ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ପଡ଼ିଯାଇ ଥିବା ଅଜଣା ବ୍ୟକ୍ତିଙ୍କୁ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତବ୍ୟକ୍ତିଙ୍କ ପରିଚୟ ମିଳି ନ ଥିବା ବେଳେ ଘଟଣାସ୍ଥଳରେ ରେଳବାଇ ପୁଲିସ ପହଞ୍ଚି ଅଧିକ ତଦନ୍ତ କରିବ ବୋଲି ସୂଚନା ମିଳିଛି । ଟ୍ରେନ୍ ଯାତ୍ରା ସମୟରେ ଯାତ୍ରୀଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟଣା ଘଟୁଥିବା ବେଳେ ଉକ୍ତ ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।