ଫିଲ୍ମ ଷ୍ଟାଇଲରେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ : ୬ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲାରେ ନିଶା ମାଫିଆଙ୍କୁ ନିସ୍ତାର ନାହିଁ । ଆକ୍ସନ ମୋଡରେ ସୋନପୁର ପୋଲିସ । ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରି ଏବେ ନୂଆ ରେକର୍ଡ ସୃଷ୍ଟି କରିଛି ଜିଲ୍ଲା ପୋଲିସ । ଗତକାଲି ପୁଲିସକୁ ଚକମା ଦେଇ ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡି ବସିଲା ପୁଲିସ । ୩ଟି ସ୍ଥାନରେ ପୁଲିସ ଚଢାଉ କରି ୧ କ୍ଵିଣ୍ଟାଲ ୬୩ କେଜି ଗଞ୍ଜେଇ ଜବତ କରିଛି । ସୋନପୁର ସହରର ବ୍ୟସ୍ତବହୁଳ ସୋନପୁର- ସମ୍ବଲପୁର ରାସ୍ତାର ବୁଢାରଜା ଛକ ନିକଟରୁ ଏକ ମହାରାଷ୍ଟ୍ର ନମ୍ବର ଥିବା ଆର୍ଟିଗା ନଂ ଏମ୍‌ଏଚ୍‌-୦୨ ସିଡବ୍ଲୁ ୪୯୪୭ କାରରେ ଦୁଇ ଜଣ ଯୁବତୀ, ଜଣେ ବାଳକ ଏବଂ ଡ୍ରାଇଭର ଏକ ପରିବାର ଯାତ୍ରା କରିବା ଭଳିଆ ଗାଡ଼ିରେ ଯାଉଥିବା ବେଳେ ଆଇଆଇସି ଯାଦବ ବାଗଙ୍କ ନେତୃତ୍ଵରେ ପୁଲିସ୍ ଟିମ୍ ସନ୍ଦେହରେ ଅଟକାଇ ଯାଞ୍ଚ କରିବାରୁ ୨ ଗୋଟି ସୁଟକେଶ ଏବଂ ୩ ଗୋଟି ବ୍ୟାଗ ଥିବାବେଳେ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଭର୍ତ୍ତି ଥିବା ଦେଖାଯାଇଥିଲା । ପରେ ଏସ୍‌ପି ନାରାୟଣ ନାୟକ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ବ୍ୟାଗରୁ ୩୦ ଗୋଟି ପ୍ୟାକେଟରୁ ୩୦ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିବା ବେଳେ ଗଞ୍ଜେଇ ସହ ବ୍ୟବହୃତ ଗାଡିକୁ ଜବତ କରିଛି ପୁଲିସ୍ । ସେହିଭଳି ସୋନପୁର-ବୀରମହାରାଜପୁର ରାସ୍ତାର ବାଘଲପୁର ଛକରେ ମଧ୍ୟ ପୁଲିସ ଏକ ଟାଟା ଏସି ଗାଡିକୁ ଅଟକାଇ ଯାଞ୍ଚ କରିବାରୁ ଗାଡିର ଡ଼ାଲା ତଳେ ସ୍ୱତନ୍ତ୍ର ଚେମ୍ବର କରାଯାଇ ଗଞ୍ଜେଇ ଚାଲାଣ ହେଉଥିବା ଦେଖି ତାଜୁବ ହୋଇଯାଇଥିଲା । ପରେ ଗାଡିରୁ ୧୨୧ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଗାଡି ଜବତ କରିଛି । ସେହିପରି ଲଛିପୁର ପୁଲିସ ତିଲେଇମାଲ –ସୋନପୁର ରାସ୍ତାରେ ଚଢ଼ାଉ କରି ଏକ ସ୍କୁଟିରୁ ୧୨ କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଦେଉଳଡୁଙ୍ଗୁରି ଗ୍ରାମର ଶୁଭମ ସାହୁ (୨୦)କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନାବାଳକ ବୋଲି ଜଣାପଡିଛି । ଏହି ତିନି ଘଟଣାରେ ୨ ମହିଳାଙ୍କ ସହ ସମୁଦାୟ ୬ ଜଣ ଗିରଫ ହେବା ସହ ୨ ଗୋଟି ଚାରି ଚକିଆ ଗାଡି ଏବଂ ୧ ଗୋଟି ସ୍କୁଟିକୁ ଜବତ କରିଛି ସୋନପୁର ପୁଲିସ୍ ।

Leave A Reply

Your email address will not be published.