ଅଙ୍ଗ ନଦୀରୁ ମନଇଚ୍ଛା ବାଲି ଚାଲାଣ : ଧରୁଛି କିଏ, ଛାଡୁଛି କିଏ

ବଲାଙ୍ଗିର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଦେଇ ବହି ଯାଇଥିବା ଅଙ୍ଗ ନଦୀ ବାଲି ମାଫିଆଙ୍କ ଗଡ଼ ପାଲଟି ଯାଇଛି । ଏହି ନଦୀରେ ଥିବା ବାଲିଘାଟ ଗୁଡ଼ିକର ବୈଧତା ଗତବର୍ଷ ନଭେମ୍ବର ମାସରୁ ସରି ଯାଇଛି । କୌଣସି ବି ବାଲିଘାଟର ସିଟିଓ ଅଥବା ପ୍ରଦୂଷଣ ପ୍ରମାଣପତ୍ର ନାହିଁ । ତଥାପି ମଧ୍ୟ ବେଫିକର ଭାବେ ବାଲି ମାଫିଆମାନେ ବାଲି ଚାଲାଣ କରୁଛନ୍ତି । ସ୍ଥାନୀୟ ପୋଲିସ ଓ ଖଣି ବିଭାଗ ଅଧିକାରୀଙ୍କୁ ହାତ କରି ବାଲି ମାଫିଆ ଅନାୟାସରେ ତାଙ୍କ କାରବାର ଚଲାଇଛନ୍ତି । ଅଭିଯୋଗ ହେଲେ ନାମକୁ ମାତ୍ର ଧରପଗଡ କରି କିଛି ଗାଡ଼ିକୁ ଖଣି ବିଭାଗ ତରଫରୁ ଜବତ କରାଯାଇ ଫାଇନ କଟାଯାଉଛି । ଏପରିକି ଆଗଲପୁର ବ୍ଲକ ମୁରସୁଣ୍ଡ ଠାରେ ବନ୍ୟା ପ୍ରତିରୋଧ ଆଡ଼ିବନ୍ଧକୁ କାଟି ବାଲି ମାଫିଆମାନେ ବେଆଇନ ଭାବେ ଏକ ସ୍ୱତନ୍ତ୍ର ବାଲିଘାଟ ତିଆରି କରିଛନ୍ତି । ସୂଚାରୁ ରୂପେ ବାଲି ଚାଲାଣ ପାଇଁ ନଦୀକୁ ରାସ୍ତା ମଧ୍ୟ ତିଆରି କରିଛନ୍ତି । ଶାସକ ଦଳର ଜନୈକ ବରିଷ୍ଠ ମନ୍ତ୍ରୀଙ୍କ ଖାସ୍ ଲୋକ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଶୁଣିବାକୁ ମିଳୁଛି । ମନ୍ତ୍ରୀଙ୍କ ନିଜ ଲୋକଙ୍କ ଏଥିରେ ସଂପୃକ୍ତି ଥିବାରୁ ଖଣି ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଥିବା ସାଧାରଣରେ ଆଲୋଚନା ହେଉଛି । ଲୋକ ଦେଖାଣିଆ ଭାବେ କିଛି ଗାଡ଼ିକୁ ଜବତ କରାଯାଇ ପରେ ଛାଡି ଦିଆଯାଉଛି । ଏ ନେଇ ପୋଲିସକୁ ପଚାରିଲେ ଖଣି ବିଭାଗ ଧରିଲା ଏବଂ ଫାଇନ କାଟିଲା ବୋଲି କହୁଛି । ଅପରପକ୍ଷେ କିଛି ଗାଡ଼ିକୁ ପୋଲିସ ସୁରକ୍ଷା ଦେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏବେ ସାଧାରଣରେ ଚର୍ଚ୍ଚା- ଗାଡ଼ି ଧରୁଛି କିଏ, ଛାଡୁଛି କିଏ ।

Leave A Reply

Your email address will not be published.