
କେସିଙ୍ଗା, (ପ୍ରୀତେଶ ପଟେଲ ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ପିନିଂ ମିଲ୍ରୁ ଗୁରୁବାର ମଧ୍ୟାହ୍ନରେ ଅତି ମୂଲ୍ୟବାନ ଲୁହା ଜିନିଷପତ୍ର ଚୋରି ହୋଇଥିଲା । ଏ ନେଇ ସ୍ପିନିଂ ମିଲ୍ କର୍ତ୍ତୃପକ୍ଷ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ପୋଲିସ ଟିମ୍ ତଦନ୍ତ କରିଥିଲା । ୪ ଜଣ ଚୋର ଓ ଜିନିଷ କିଣିଥିବା କବାଡ଼ିଙ୍କୁ ପୋଲିସ ଗିରଫ କରି ପଚରାଉଚରା ସମସ୍ତ ପ୍ରମାଣିତ ହେଲା ପରେ ଶୁକ୍ରବାର ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଭବାନୀପାଟଣାରୁ ଏକ ସନ୍ଧାନୀ କୁକୁର ଦ୍ୱାରା ଅନୁସନ୍ଧାନ କରାଯାଇ ଚୋରଙ୍କୁ ଗିରଫ କରାଯାଇଛି । ଏହି ଚୋରମାନେ କେସିଙ୍ଗା ସହର ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ରଙ୍କୁ ପଚାରିବାରୁ ଆଜି ଶୁକ୍ରବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେମାନଙ୍କଠାରୁ ସ୍ପିନିଙ୍ଗ ମିଲ୍ରେ ବ୍ୟବହୃତ ଲୁହା ସାମଗ୍ରୀ ୨୫୦ କିଲୋ ସିଜ୍ କରାଯାଇଛି ବୋଲି ପ୍ରକାଶ କରିଥିଲେ । ସୂଚନା ଅନୁଯାୟୀ କେସ ନଂ ୩୩୧(୩),୩୦୫, (ବ),୬୧(୨) ଦଫାରେ ମାମଲା ରୁଜୁ ହୋଇଛି ।