
ପାଟଣାଗଡ଼, (ଅଶୋକ କୁମାର ବାଗ) : ଓଡ଼ିଶା ଜଙ୍ଗଲରୁ ବାହାର ରାଜ୍ୟକୁ ହେଉଛି କାଠ ଚାଲାଣ । କାଠ ମାଫିଆ ଟନ୍ ଟନ୍ ମୂଲ୍ୟବାନ କାଠ ଅନ୍ୟ ରାଜ୍ୟକୁ ଚୋରାଚାଲାଣ କରୁଛନ୍ତି । ଏହିପରି ଭାବେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବନାଞ୍ଚଳ ଅଞ୍ଚଳରୁ ହରିଆଣା ରାଜ୍ୟକୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଚାଲାଣ ହେଉଥିବା ବେଳେ ପାଟଣାଗଡ଼ ଠାରେ ମାଡିବସିଛି ସ୍ଥାନୀୟ ପୋଲିସ । ସୂଚନା ଅନୁସାରେ ଗତକାଲି ପାଟଣାଗଡ଼ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ବର୍ଥଲା ଛକ ନିକଟରେ ଖଇର ବୋଝେଇ ଏକ ଟ୍ରକ୍କୁ ଅଟକାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ସେଥିରେ ବିପୁଳ ପରିମାଣରେ ଖଇର କାଠ ବୋଝେଇ ହୋଇ ପାଟଣାଗଡ ବ୍ଲକ ତୁର୍ଲାମାଲ ଜଙ୍ଗଲରୁ ବାହାର ରାଜ୍ୟ ହରିଆଣା ସ୍ଥିତ ନୀଳଗିରିକୁ ଚାଲାଣ ହେଉଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ପୋଲିସ ଟ୍ରକ ନଂ ଏଚ୍ଆର୍ ୪୬ଡି- ୭୦୯୨ ସହ ଡ୍ରାଇଭର ଏବଂ ହେଲ୍ପରକୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ଏନେଇ ଫରେଷ୍ଟ ଆକ୍ଟ ଆନୁସାରେ ପାଟଣାଗଡ ଥାନା କେସ୍ ନଂ ୧୨୮/୨୪ ଏକ ମାମଲା ରୁଜୁ କରି ଡ୍ରାଇଭର ଏବଂ ହେଲ୍ପରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ଯେ କୌଣସି ଲୋକ ସମ୍ପୃକ୍ତ ଥିଲେ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପାଟଣାଗଡ ଏସ୍ଡିପିଓ ସଦାନନ୍ଦ ପୁଝାରୀ ସୂଚନା ଦେଇଛନ୍ତି । ଜବତ ହୋଇଥିବା କାଠର ଆନୁମାନିକ ମୁଲ୍ୟ ୪ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି । ଅଞ୍ଚଳରୁ ବିପୁଳ ପରିମାଣରେ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଲେ ବନବିଭାଗ ଛୋଟଛୋଟ ମାଛକୁ ଧରୁଥିବା ବେଳେ ବଡ଼ ବଡ ମାଛ ଖସି ଯାଉଛନ୍ତି ଏବଂ ପାଟଣାଗଡ଼ ପୋଲିସ ଏତେ ବଡ ଧରଣର ବେଆଇନ ଚୋରା କାଠ ଚାଲାଣକୁ ଧରିଥିବାରୁ ଜନସାଧାରଣ ପୋଲିସକୁ ସାଧୁବାଦ ଜଣାଇଥିବା ବେଳେ ବନବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ କରୁଥିବା ସାଧାରଣରେ ଆଲୋଚନା ହେଉଛି ।