କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାର ସିନାପାଲି ସଦର ଅଞ୍ଚଳର ବିଜୁ ଏକ୍ସପ୍ରେସ ୱେରେ ଭାଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ବାଇକ ଚାଳକ କାର ଧକ୍କାରେ ଗୁରୁତର ଆହତ ହୋଇ, ପରେ ଚିକିତ୍ସାଳୟକୁ ନେବା ବେଳେ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକଙ୍କ ଚିହ୍ନଟ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲିପା ଗ୍ରାମର ହୃଷିକେଶ ସା (ବୟସ୍ ପ୍ରାୟ ୩୦) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁସାରେ, ସେ ଫୁରସୁଣ୍ଡ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯାଉଥିବା ବେଳେ, ତାଙ୍କ ହିରୋ ଏଚ୍‌ଏଫ୍‌ ଡିଲକ୍ସ ବାଇକ (ନଂ–ଓଡି ୦୮ ଡବ୍ଳୁ ୧୮୦୫) କୁ ଏକ କାର (ନଂ– ଓଡି ୦୮ ଭି ୪୧୫୩) ମୁହାଁମୁହିଁ ଧକ୍କା ଦେଇଥିଲା । ଉକ୍ତ କାର ଧର୍ମଗଡର ହୋଇଥିବା ସହିତ ବୋଡ଼େନ ପଟୁ ଆସୁଥିଲା ବୋଲି ଜଣାପଡ଼ିଛି । ଘଟଣା ସମୟରେ ସେହି ସ୍ଥାନରେ ଥିବା ଏକ ଅଟୋ (ନଂ– ଓଡି ୨୬ଏ ୧୫୮୭) କୁ ମଧ୍ୟ ଉକ୍ତ କାର ଧକ୍କା ଦେଇଥିଲା । ଖବର ପାଇ ସିନାପାଲି ଥାନାଧିକାରୀ ଓ ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲାବେଳେ ଭେଳା ନିକଟରେ ସେ ମୃତ୍ୟୁ ବରଣ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣା ସମ୍ବନ୍ଧରେ ତଦନ୍ତ ଆରମ୍ଭ ଚରିଛି । ସିନାପାଲି ବିଜୁ ଏକ୍ସପ୍ରେସ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ସେହି ଅଞ୍ଚଳରେ ଲୋକେ ଯାତାୟାତ କରୁଛନ୍ତି ଏବଂ ପରିବା ବଜାର ଅଛି ସେଥିପାଇଁ ମଧ୍ୟ ଏପରି ଦୁର୍ଘଟଣା ଘଟୁଛି । ଯାହା ପାଇଁ ପ୍ରଶାସନଙ୍କୁ ଯାତାୟାତ ନିୟନ୍ତ୍ରଣ ବୃଦ୍ଧି କରିବା ଦାବି କରାଯାଇଛି ।

Leave A Reply

Your email address will not be published.