ବଲାଙ୍ଗିର ପୌର ପରିଷଦ ତରଫରୁ ୪ ଗୋଟି ବ୍ୟାଟେରି ଚାଳିତ ବାହାନର ଶୁଭାରମ୍ଭ : ଚଳାଇବେ କିନ୍ନରମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସରରୁ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ ଗୋଟି ବ୍ୟାଟେରି ଚାଳିତ ବାହାନର ଲୋକାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ବଲାଙ୍ଗିର ଜିଲ୍ଲା ପୌର ପରିଷଦର ପ୍ରଶାସକ ଚଞ୍ଚଳ ରାଣା ମୁଖ୍ୟ ଅତିଥବ ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ବାହାନ ଗୁଡ଼ିକର ଶୁଭାରମ୍ଭ କରିଥିଲେ । ଏହି ବାହାନ ଗୁଡ଼ିକ କିନ୍ନର ମାନଙ୍କ ଦ୍ୱାରା ପରିଚାଳିତ ହେବ । ବଲାଙ୍ଗିର ପୌର ପରିଷଦ ଅଧୀନସ୍ଥ ବିଭିନ୍ନ ୱାର୍ଡର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସକାଶେ ସମୁଦାୟ ୨୪ ଗୋଟି ବ୍ୟାଟେରି ଚାଳିତ ବାହାନ ନିୟୋଜିତ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ଆଜି ୪ଟି ବାହାନର ଶୁଭାରମ୍ଭ କରାଯାଇଥିବା ସୂଚନାରେ କୁହାଯାଇଛି । ଏହିସବୁ ବାହାନ ଗୁଡ଼ିକର ପରିଚାଳନା ଦାୟିତ୍ୱ କିନ୍ନର ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯିବ । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ବଲାଙ୍ଗିର ପୌର ପରିଷଦରେ କିନ୍ନର ମାନଙ୍କୁ ନେଇ ୨ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି । ଏହାଦ୍ୱାରା ସେମାନଙ୍କର ଆର୍ଥିକ ଉନ୍ନତି ହେବା ସହ ସେମାନେ ସମାଜର ମୁଖ୍ୟସ୍ରୋତରେ ମଧ୍ୟ ସାମିଲ୍‌ ହୋଇପାରିବେ । ବଲାଙ୍ଗିର ପୌର ପରିଷଦର ଏହି ପଦକ୍ଷେପକୁ କିନ୍ନର ସଂଗଠନ ପ୍ରଶଂସା କରିବା ସହ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କୁ ମିଳିଥିବା ନୂଆ ଦାୟିତ୍ୱକୁ ତୁଳାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି କିନ୍ନରମାନେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ସୁଦର୍ଶନ ସାଏ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ବଲାଙ୍ଗିର ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସମେତ ପୌର ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.