ଦେଶବ୍ୟାପୀ ଘରେ ଘରେ ତ୍ରିରଙ୍ଗା ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବର ଶୁଭାରମ୍ଭ

● ପ୍ରଦର୍ଶିତ ହେଉଛି ଭାରତର ସ୍ୱାଧୀନତା ଓ ଏକତା ଉପରେ ଆଧାରିତ ଚଳଚ୍ଚିତ୍ର
● ଶହୀଦ ବୀର ସାଭରକର ଚଳଚ୍ଚିତ୍ର ସହ ମହୋତ୍ସବର ଶୁଭାରମ୍ଭ
● ଆଗକୁ ଉରି, ଆରଆରଆର, ତାନାଜୀ ଏବଂ ମେଜର ହେବ ପ୍ରଦର୍ଶିତ
● ସଂରକ୍ଷିତ ଶ୍ରେଷ୍ଠ ଏବଂ ସମସାମୟିକ ଦେଶାତ୍ମବୋଧକ ଚଳଚ୍ଚିତ୍ର ନେଇ ଆସିଛି ଏନଏଫଡିସି
● ବ୍ୟାପକ ଘରେ ଘରେ ତ୍ରିରଙ୍ଗା ଅଭିଯାନର ଅଂଶବିଶେଷ ଭାବେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ପୁଣେରେ ଭବ୍ୟ ଉଦଘାଟନୀ ସମାରୋହରେ ତାରକାମାନଙ୍କର ଅଂଶଗ୍ରହଣ
● ଘରେ ଘରେ ତ୍ରିରଙ୍ଗା ଦେଶପ୍ରେମ ଚଳଚ୍ଚିତ୍ର ମହୋତ୍ସବର ଲକ୍ଷ୍ୟ ଚଳଚ୍ଚିତ୍ର ମାଧ୍ୟମରେ ଭାରତର ସମୃଦ୍ଧ ସାଂସ୍କୃତିକ ଇତିହାସ ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିବା – ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ

ନୂଆଦିଲ୍ଲୀ, (ପିଆଇବି) : ଆଜିଠାରୁ ଦେଶବ୍ୟାପୀ ‘ଘରେ ଘରେ ତିରଙ୍ଗା ଦେଶପ୍ରେମ ଚଳଚ୍ଚିତ୍ର ମହୋତ୍ସବ’ର ଶୁଭାରମ୍ଭ ହୋଇଛି । ପ୍ରଥମ ଦିନରେ ମହୋତ୍ସବକୁ ଉତ୍ସାହଜନକ ପ୍ରତିକ୍ରିୟା ମିଳିଛି । ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ମାଧ୍ୟମରେ ଭାରତର ସ୍ୱାଧୀନତା ପ୍ରତି ସମ୍ମାନ ବ୍ୟକ୍ତ କରିବା । ଅଗଷ୍ଟ ୧୧ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ଦ୍ୱାରା ଆୟୋଜିତ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବ୍ୟାପକ ଘରେ ଘରେ ତିରଙ୍ଗା ଅଭିଯାନର ଏକ ଅଂଶବିଶେଷ ଭାବେ ଏହି ମହୋତ୍ସବ ଆୟୋଜନ କରାଯାଉଛି । ଏହା ଜାତୀୟ ପତାକା ସହିତ ପ୍ରତ୍ୟେକ ନାଗରିକଙ୍କ ଭାବଗତ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ଏକତା ଏବଂ ଦେଶପ୍ରେମର ନୂତନ ଭାବନା ସୃଷ୍ଟି କରିବ । ଦେଶପ୍ରେମ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶନ ମାଧ୍ୟମରେ, ଏହି ମହୋତ୍ସବର ଉଦ୍ଦେଶ୍ୟ ହେଉଛି, ଦର୍ଶକଙ୍କୁ ଭାରତର ସ୍ୱାଧୀନତା ଯାତ୍ରାକୁ ମନେ ପକାଇବା, ଅଗଣିତ ବୀରଙ୍କ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ଦେଶର ପରିଚୟକୁ ଆକାର ଦେଇଥିବା କାହାଣୀଗୁଡ଼ିକୁ ପ୍ରଦର୍ଶନ କରିବା । ଦିଲ୍ଲୀରେ ମହୋତ୍ସବର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଲ୍ଲୀ ସରକାରରେ କଳା, ସଂସ୍କୃତି ଓ ଭାଷା ମନ୍ତ୍ରୀ କପିଳ ମିଶ୍ରା କହିଛନ୍ତି, ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମୃତିଚାରଣ କରିବା ଏବଂ ପରବର୍ତ୍ତୀ ପିଢ଼ିକୁ ଅନୁପ୍ରାଣିତ କରିବା ଲାଗି ଚଳଚ୍ଚିତ୍ର ଏକ ଶକ୍ତିଶାଳୀ ମାଧ୍ୟମ। ତେଣୁ ଘରେ ଘରେ ତ୍ରିରଙ୍ଗା ମହୋତ୍ସବ ଦେଶର ସ୍ୱାଧୀନତାର ଯାତ୍ରାକୁ ଲୋକଙ୍କ ଅନୁଭୂତିରେ ଉଜ୍ଜୀବିତ କରିପାରିବ । ମୁମ୍ବାଇରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଘରେ ଘରେ ତ୍ରିରଙ୍ଗା – ଦେଶପ୍ରେମ ଚଳଚ୍ଚିତ୍ର ମହୋତ୍ସବର ଲକ୍ଷ୍ୟ ସିନେମା ମାଧ୍ୟମରେ ଭାରତର ସମୃଦ୍ଧସାଂସ୍କୃତିକ ଇତିହାସ ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିବ । ଚଳଚ୍ଚିତ୍ର ଏକ ଦୃଶ୍ୟମାନ ମାଧ୍ୟମ ହୋଇଥିବାରୁ ଏହା ଦର୍ଶକଙ୍କ ଉପରେ ଏକ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ । ଏହି ମହୋତ୍ସବର ଲକ୍ଷ୍ୟ ସମସ୍ତ ଭାରତୀୟଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ବୋଲି ସେ କହିଛନ୍ତି । ଏହି ମହୋତ୍ସବର ଉଦଘାଟନୀ ସମାରୋହ ଏକ ସଙ୍ଗେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ପୁଣେରେ ଅନୁଷ୍ଠିତ ହୋଇଛି । ଦିଲ୍ଲୀରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ କପିଲ ମିଶ୍ରାଙ୍କ ସମେତ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଭାତ, ଡିପିଡି ଅତିରିକ୍ତ ମହାନିର୍ଦ୍ଦେଶକ ଭୂପେନ୍ଦ୍ର କଇଁଥୋଲା, ଗଣମାଧ୍ୟମ ଓ ଯୋଗାଯୋଗ ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ପରିବେଷଣ କରାଯାଇଛି । ମୁମ୍ବାଇର ଏନଏଫଡିସି ପରିସରରେ ଆୟୋଜିତ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଓ ଅଭିନେତ୍ରୀ ଶ୍ରୀୟା ପିଲଗାଓଁକରଙ୍କ ସମେତ ବହୁ ବରିଷ୍ଠ ସରକାରୀ ଅଧିକାରୀ, ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ର ପ୍ରେମୀ ସାମିଲ ହୋଇଥିଲେ । ସେହିପରି ପୁଣେଠାର ଏନଏଫଡିସି-ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର)ର ଦର୍ଶକମାନେ ଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇରୁ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦେଖିଥିଲେ ।
ଅନ୍ୟପକ୍ଷରେ ଚେନ୍ନାଇରେ ଟାଗୋର ଫିଲ୍ମ ସେଣ୍ଟର ମହୋତ୍ସବର ଏକ ଉଦଘାଟନୀ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ନିର୍ଦ୍ଦେଶକ ବସନ୍ତ, ନୃତ୍ୟଶିଳ୍ପୀ କଲା ମାଷ୍ଟର, ତାମିଲ ଚାମ୍ବର ଅଫ୍ କମର୍ସର ସଭାପତି ଚୋଳ ନାଚିୟାର, ଅଭିନେତ୍ରୀ ନମିତା, ତାମିଲନାଡୁ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଏଭିଏସ ଶିବକୁମାର, ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀ ବୀରାଙ୍କୁ ସମ୍ମାନିତ କରାଯାଇଥିଲା । ମହୋତ୍ସବରେ ଶହୀଦ ଭଗତ ସିଂଙ୍କ ବଳିଦାନ ଉପରେ ନିର୍ମିତ ଚଳଚ୍ଚିତ୍ର ଶହୀଦ (୧୯୬୫), ସ୍ୱାତନ୍ତ୍ର୍ୟ ବୀର ସାଭରକର(୨୦୨୪), ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍(୨୦୧୯), ଆରଆରଆର (୨୦୨୨), ମରାଠା ଯୋଦ୍ଧା ତାନାଜୀ ମାଲୁସାରେଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ର ତାନାଜୀ (୨୦୨୦) ପ୍ରଦର୍ଶିତ ହେଉଛି । ଏହାବ୍ୟତୀତ ମେଜର (୨୦୨୨), ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବୀରପାଣ୍ଡ୍ୟା କଟ୍ଟବୋମ୍ମନ, କ୍ରାନ୍ତି (୧୯୮୧), ହକିକତ(୧୯୬୪), ପରାଶକ୍ତି (୧୯୫୨), ସାତ୍ ହିନ୍ଦୁସ୍ତାନୀ(୧୯୬୯) ମଧ୍ୟ ପ୍ରଦର୍ଶିତ ହେବ । ଏହାବ୍ୟତୀତ ତ୍ରିରଙ୍ଗାର ଇତିହାସ, ଲୋକମାନ୍ୟ ତିଲକ, ସ୍ୱାଧୀନତା ସଂଗ୍ରାମ ଆଦି ଉପରେ ଆଧାରିତ ଶିକ୍ଷାଭିତ୍ତିକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ପକ୍ଷରୁ ସର୍ବକାଳୀନ ଶ୍ରେଷ୍ଠ ଏବଂ ସମସାମୟିକ ଦେଶାତ୍ମବୋଧ ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ହୋଇଛି । ଏନଏଫଡିସିର ଏକ ଅନୁଭାଗ ରୂପେ ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ଆଧୁନିକ ପ୍ରଯୁକ୍ତି ବ୍ୟବହାର କରି ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ଭାରତର ସିନେମା ଐତିହ୍ୟ ଯେପରି ସମୟ ସହିତ ହଜି ନଯିବ ସେ ଦିଗରେ ପଦକ୍ଷେପ ମଧ୍ୟ ଗ୍ରହଣ କରୁଛି । ଆଗାମୀ ଦୁଇ ଦିନ ଏହି ମହୋତ୍ସବ ଅନ୍ତର୍ଗତ ଦେଶର ଭିନ୍ନ ଭିନ୍ନ ସହରରେ ଦେଶାତ୍ମବୋଧ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବାର କାର୍ଯ୍ୟସୂଚୀ ରହିଛି ।

jittmm
Leave A Reply

Your email address will not be published.