• ଭାରତର ଉପକୂଳ ଅର୍ଥବ୍ୟବସ୍ଥାକୁ ମିଳିବ ପ୍ରୋତ୍ସାହନ
• ୨୦୩୦ ସୁଦ୍ଧା ଉପକୂଳ ମାଲ ପରିବହନକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ ନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଉପକୂଳ ଜାହାଜ ଚଳାଚଳ ବିଲ୍ ୨୦୨୫ : ସର୍ବାନନ୍ଦ ସୋନୋୱାଲ
• ନୂତନ ଆଇନ ଅଧୀନରେ ଭବିଷ୍ୟତର ଭିତ୍ତିଭୂମି ଓ ନୀତିକୁ ପରିଚାଳନା କରିବା ପାଇଁ ଜାତୀୟ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜାହାଜ ଚଳାଚଳ ନିମନ୍ତେ ଏକ ରଣନୀତିକ ଯୋଜନା ପ୍ରସ୍ତୁତ କରାଯିବ: ସର୍ବାନନ୍ଦ ସୋନୱାଲ
ନୂଆଦିଲ୍ଲୀ, (ପିଆଇବି) : ଦେଶର ଉପକୂଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଉପକୂଳ ଜାହାଜ ଚଳାଚଳ ବିଲ୍, ୨୦୨୫ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି । ଏହି ଐତିହାସିକ ଆଇନ ଭାରତର ନଅଟି ଉପକୂଳ ରାଜ୍ୟ ଏବଂ ଚାରୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ବ୍ୟାପିଥିବା ୧୧,୦୯୮ କିଲୋମିଟର ଲମ୍ବା ରଣନୀତିକ ଉପକୂଳର ବ୍ୟାପକ ଏବଂ ବିଶାଳ ସମ୍ଭାବନାକୁ ଉନ୍ମୁକ୍ତ କରିବାକୁ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ବିଲକୁ ଗୃହୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ବିଲ୍ ପୂର୍ବରୁ ୩ ଏପ୍ରିଲ, ୨୦୨୫ରେ ଲୋକସଭାରେ ଗୃହୀତ ହୋଇଥିଲା । ଏହା ଉପକୂଳ ଜାହାଜ ପରିଚାଳନା ଆଇନଗତ ଢାଞ୍ଚାକୁ ସରଳ ଏବଂ ଆଧୁନିକୀକରଣ କରିବାକୁ ଉଦ୍ଦିଷ୍ଟ । ବାଣିଜ୍ୟିକ ଜାହାଜ ଚଳାଚଳ ଆଇନ, ୧୯୫୮ର ଚତୁର୍ଦ୍ଦଶ ଭାଗକୁ ବିଶ୍ୱ କ୍ୟାବୋଟେଜ୍ ମାନଦଣ୍ଡ ସହିତ ଯୋଡ଼ାଯାଇଛି । ଏହା ଏକ ନୂତନ ଯୁଗର ପ୍ରଗତିଶୀଳ ଆଇନ । ରାଜ୍ୟସଭାରେ ବିଲ୍ ଉପସ୍ଥାପନ କରି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି, ଏହି ଆଇନ ଭାରତର ୨୦୩୦ ସୁଦ୍ଧା ଏହାର ଉପକୂଳ ମାଲ ପରିବହନ ଅଂଶକୁ ୨୩୦ ନିୟୁତ ମେଟ୍ରିକ୍ ଟନ୍କୁ ବୃଦ୍ଧି କରିବ । ଏଥିସହିତ ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତରେ ସାମୁଦ୍ରିକ କ୍ଷେତ୍ରର ଅବଦାନକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ । ଏହା କେବଳ ଏକ ଆଇନଗତ ସଂସ୍କାର ନୁହେଁ ବରଂ ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ଏବଂ ଲଜିଷ୍ଟିକ୍ସ ଦକ୍ଷତାର ଏକ ରଣନୀତିକ ସମର୍ଥକ । ଏହି ବିଲ୍ ନିୟାମକ ବୋଝ ହ୍ରାସ କରିଥାଏ । ଭାରତୀୟ ଜାହାଜର ପ୍ରତିଯୋଗିତାକୁ ବୃଦ୍ଧି କରେ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଏହା ଅନୁରୂପ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଉପକୂଳ ଜାହାଜ ଚଳାଚଳ ବିଲ୍, ୨୦୨୫ ଛଅଟି ଅଧ୍ୟାୟ ଏବଂ ୪୨ଟି ଧାରାକୁ ନେଇ ଗଠିତ । ଏହା ଉପକୂଳ ଜାହାଜ ଚଳାଚଳ ପାଇଁ ଏକ ସରଳୀକୃତ ଲାଇସେନ୍ସ ବ୍ୟବସ୍ଥା ପ୍ରଚଳନ କରେ ଏବଂ ଉପକୂଳ ବାଣିଜ୍ୟରେ ନିୟୋଜିତ ବିଦେଶୀ ଜାହାଜଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଢାଞ୍ଚା ପ୍ରସ୍ତୁତ କରେ । ଏହା ସହିତ, ବିଲ୍ ଭବିଷ୍ୟତର ଭିତ୍ତିଭୂମି ବିକାଶ ଓ ନୀତି ଦିଗକୁ ମାର୍ଗଦର୍ଶନ କରିବା ପାଇଁ ଏକ ଜାତୀୟ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜାହାଜ ପରିବହନ ଲାଗି ରଣନୀତିକ ଯୋଜନା ପ୍ରସ୍ତୁତ କରିବାକୁ ବାଧ୍ୟତାମୂଳକ କରିଥାଏ । ଏହି ଆଇନରେ ଉପକୂଳ ଜାହାଜ ପରିବହନ ପାଇଁ ଏକ ଜାତୀୟ ଡାଟାବେସ୍ ସୃଷ୍ଟି କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହା ପ୍ରାମାଣିକ ଏବଂ ନିୟମିତ ଭାବରେ ସଂଶୋଧିତ ହୋଇଥିବା ଡାଟାକୁ ପ୍ରକୃତ ସମୟରେ ଉପଲବ୍ଧ କରିପାରିବ । ଏହି ଡାଟାବେସ୍ ସମ୍ଭାବ୍ୟ ନିବେଶକମାନଙ୍କୁ ସରକାରଙ୍କ ବିକାଶ ଯୋଜନା ଏବଂ ଏହି କ୍ଷେତ୍ରରେ ନୀତିଗତ ପ୍ରାଥମିକତା ବିଷୟରେ ଅବଗତ କରାଇବ, ସ୍ୱଚ୍ଛତା ଏବଂ ଆତ୍ମବିଶ୍ୱାସକୁ ପ୍ରୋତ୍ସାହିତ କରିବ । କାର୍ଯ୍ୟକାରୀ ହେବା ପରେ, ଏହି ବିଲ୍ ଘରୋଇ ମାଲ ପରିବହନରେ ଭାରତୀୟ ଜାହାଜର ଅଂଶଗ୍ରହଣ ବୃଦ୍ଧି କରିବା ସହିତ ଯୋଗାଣ-ଶୃଙ୍ଖଳା ସୁରକ୍ଷାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ, ଆମେ ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ଏକ ମିଶନ ମୋଡରେ କାର୍ଯ୍ୟ କରୁଛୁ । ଅନୁରୂପ ଭାବେ, ଏହି ବିଲ୍ ବିଦେଶୀ ଜାହାଜ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବା ଲକ୍ଷ୍ୟ ରଖିଛି । ଏହାଦ୍ୱାରା ବିଦେଶୀ ମୁଦ୍ରାର ପ୍ରବାହକୁ ରୋକାଯାଇପାରିବ । ଫଳରେ ଏହା ସ୍ଥାନୀୟ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ, ଉପକୂଳବର୍ତ୍ତୀ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଭାରତୀୟ ଜାହାଜ ଚାଳକମାନଙ୍କ ପାଇଁ ବ୍ୟବସାୟିକ ସୁଗମତାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ଉପକୂଳ ପରିବହନ ବିଲ୍ ୨୦୨୫ ଗୃହୀତ ହେବା ସହିତ, ଭାରତ ଏକ ସୁଗମ, ଦକ୍ଷ ଏବଂ ବିଶ୍ୱ ସ୍ତରରେ ପ୍ରତିଯୋଗିତାମୂଳକ ଉପକୂଳ ଏବଂ ଆଭ୍ୟନ୍ତରୀଣ ପରିବହନ ଇକୋସିଷ୍ଟମ ନିର୍ମାଣ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବ । ଏହି ଐତିହାସିକ ସଂସ୍କାର ଆମର ଉପକୂଳର ଅପାର ସମ୍ଭାବନାକୁ ଉନ୍ମୁକ୍ତ କରିବ, ଯୋଗାଣ ଶୃଙ୍ଖଳା ସ୍ଥିରତାକୁ ବୃଦ୍ଧି କରିବ ଏବଂ ଆମର ଜାତୀୟ ଦୃଷ୍ଟିକୋଣ ବିକାଶ ସହିତ ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ କହିଛନ୍ତି । ଉପକୂଳ ଜାହାଜ ଚଳାଚଳ ଆଇନ, ୨୦୨୫ ଗୃହୀତ ହେବା ସହିତ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଆଇନକୁ ସଂସଦର ମଞ୍ଜୁରି ମିଳିଛି । ସେଗୁଡ଼ିକ ହେଲା ବାଣିଜ୍ୟିକ ଜାହାଜ ଚଳାଚଳ ବିଲ୍ ୨୦୨୫, ସାମୁଦ୍ରିକ ମାଲ୍ ପରିବହନ ବିଲ୍, ୨୦୨୫ ଏବଂ ଉପକୂଳ ଜାହାଜ ପରିବହନ ବିଲ୍ । ଏହା ବିକଶିତ ଭାରତ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ସହିତ ଏକ ଆଧୁନିକ, ଦକ୍ଷ ଏବଂ ଆତ୍ମନିର୍ଭରଶୀଳ ସାମୁଦ୍ରିକ ଇକୋସିଷ୍ଟମ ପାଇଁ ପଥ ପ୍ରଶସ୍ତ କରିଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ, ଆମ ମନ୍ତ୍ରଣାଳୟ ଭାରତର ସାମୁଦ୍ରିକ କ୍ଷେତ୍ରକୁ ଆଧୁନିକୀକରଣ କରିବା ପାଇଁ ଐତିହାସିକ ଆଇନଗତ ସଂସ୍କାର ଗ୍ରହଣ କରିଛି । ତିନୋଟି ଐତିହାସିକ ବିଲ୍ ଗୃହୀତ ହେବା ସହିତ ଆମେ ଏକ ଭବିଷ୍ୟତ ପାଇଁ ପ୍ରସ୍ତୁତ ସାମୁଦ୍ରିକ ଇକୋସିଷ୍ଟମ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରୁଛୁ । ଏହା ଆତ୍ମନିର୍ଭର ଭାରତ ସଂକଳ୍ପକୁ ସମର୍ଥନ କରେ ଏବଂ ଆମକୁ ବିକଶିତ ଭାରତର ଲକ୍ଷ୍ୟ ନିକଟତର କରାଇବ । ଏହି ଐତିହାସିକ ଆଇନ ଗୃହୀତ ହେବା ସହିତ, ଭାରତ ଏକ ସମନ୍ୱିତ, ଦକ୍ଷ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଉପକୂଳ ଏବଂ ଆଭ୍ୟନ୍ତରୀଣ ଜାହାଜ ଚଳାଚଳ ଇକୋସିଷ୍ଟମ ନିର୍ମାଣ ଦିଗରେ ଆଉ ଏକ ପାଦ ଆଗକୁ ବଢିଛି ।