- ସାତ ହଜାର କେଜି ମହୁଲ ପୋଚ ଓ ୨୦୦ଲିଟର ଦେଶୀ ମଦ ନଷ୍ଟ
ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ଦଳ ଜୟପାଟଣା ବ୍ଲକ ଅନ୍ତର୍ଗତ ତୁମୁରି ଖୋଳ ପାହାଡି କ୍ଷେତ୍ର ମଧ୍ୟରୁ ବିପୁଳ ପରିମାଣରେ ମହୁଲ ପୋଚ ଓ ଦେଶୀ ମଦ ନଷ୍ଟ କରିଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଶନିବାର ପୂର୍ବାହ୍ନରେ ବଡ଼କର୍ଲାକୋଟ ନିକଟ ତୁମୁରୀଖୋଳ ଜଙ୍ଗଲ ମଧ୍ୟରୁ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଅତର୍କିତ ଚଢ଼ାଉ କରି ସାତ ହଜାର କେଜି ମହୁଲ ପୋଚ ସହ ରନ୍ଧା ହୋଇଥିବା ୨୦୦ଲିଟର ଦେଶୀ ମଦ ନଷ୍ଟ କରିଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ଅଭିଯୁକ୍ତମାନେ କୌଣସି ପ୍ରକାରେ ଚଂପଟ ମାରିଥିବା ଜଣାପଡ଼ିଛି । ବିଭିନ୍ନ ସମୟରେ ସଂପୃକ୍ତ ଅଞ୍ଚଳରେ ଅଭିଯୁକ୍ତମାନେ କ୍ରମାଗତ ଭାବରେ ବେଆଇନ ମଦ ରନ୍ଧାକୁ ନିଜର ଜୀବିକା ବୋଲି ଭାବି ନେଇଥିବା ବେଳେ ଏହାର ନିରାକରଣ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିବା ପାଇ ଆବଶ୍ୟକତା ଅଛି ବୋଲି ଆଲୋଚନା ହେଉଛି । ଏହି ଚଢାଉରେ ଧର୍ମଗଡ ଇନ୍ସପେକ୍ଟର ଅରୁଣ କୁମାର ଯୋଶୀ, ଭାରପ୍ରାପ୍ତ ଅଧିକାରୀ ପ୍ରତିମା ବେହେରା, ଗୁପ୍ତେଶ୍ୱର ପଟେଲ, ସୁରେଶ ଚନ୍ଦ୍ର ଭୋଇ, ଷ୍ଟାଫ ମଧ୍ୟରେ ବଳଭଦ୍ର ପାତ୍ର, ଅରୁନାକ୍ଷ ଧଙ୍ଗଡା ମାଝୀ, ନିରଞ୍ଜନ ବେହେରା, କୀର୍ତ୍ତି ଜେନା, ଯଶୋବନ୍ତ ନାଗ, କରୁଣା ବାଗ, ଭଜମନ ପଟେଲ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ ।