ଚନ୍ଦନଭାଟି ଓ ବଘଲା-ସାଲେପାଲିରେ ୩ଟି ଜଳଯୋଗାଣ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କଲେ ନରସିଂହ

  • ସାଲେପାଲି ଠାରେ ପ୍ରହରୀ ମଣ୍ଡପର ହେଲା ଉଦ୍‌ଘାଟନ
  • ପ୍ରତ୍ୟେକ ଘରକୁ ପିଇବା ପାଣି ପହଞ୍ଚାଇବା ଆମର ଲକ୍ଷ୍ୟ : ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ) : ସ୍ୱଚ୍ଛ ପିଇବା ପାଣି ପାଇବାର ବ୍ୟକ୍ତିର ମୌଳିକ ଅଧିକାର । ଏଥିରୁ କେହି କାହାକୁ ବଞ୍ଚିତ କରିପାରିବେ ନାହିଁ । ପ୍ରତିଶ୍ରୁତି ମୁତାବକ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପିଇବା ପାଣି ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିଲା । ସେହି ମର୍ମରେ ଆଜି ବଲାଙ୍ଗିର ସଦର ବ୍ଳକ୍‌ ସ୍ଥିତ ଚନ୍ଦନଭାଟି ଗ୍ରାମପଞ୍ଚାୟତର ଚନ୍ଦନଭାଟି, ବଘଲା – ସାଲେପାଲି ଠାରେ ତିନୋଟି ପାନୀୟ ଜଳପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବହୁ ଶୀଘ୍ର ଏହି ପ୍ରକଳ୍ପରୁ ଏହି ଅଞ୍ଚଳର ଲୋକେ ଘରକୁ ଘର ସ୍ୱଚ୍ଛ ପିଇବା ପାଣି ପାଇପାରିବେ ବୋଲି ଆଜି ଏହି ତିନୋଟି ପାନୀୟ ଜଳପ୍ରକଳ୍ପର ଭିତ୍ତପ୍ରସ୍ତ ପରବର୍ତ୍ତୀ ସଭାରେ ମାନ୍ୟବର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ଏହି ଅଞ୍ଚଳର ସମସ୍ତ ପୁରୁଣା ପିଇବା ପାଣି ପାଇପ୍‌ ପରିବର୍ତ୍ତନ କରାଯିବ । ଚନ୍ଦନଭାଟି ଓ ବଘଲା ଠାରେ ଏହି ପ୍ରକଳ୍ପ ପାଇଁ ୨ ଲକ୍ଷ ଲିଟିର କ୍ଷମତା ସମ୍ପନ୍ନ ଭୂତଳ ପାଣି ଟାଙ୍କି ନିର୍ମାଣ ହେବ ତା ସହ ସାଲେପାଲିଠାରେ ୭୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଓଭରହେଡ ଟ୍ୟାଙ୍କ, ବଘଲା ଠାରେ ଦେଢ଼ ଲକ୍ଷ ଲିଟିର ଓ ଚନ୍ଦନଭାଟି ଦୁଇ ଲକ୍ଷ ଲିଟିର ବିଶିଷ୍ଟ ଓଭରହେଡ ଟ୍ୟାଙ୍କ ନୂଆ କରି ନିର୍ମାଣ ହେବ । ଏ ତିନୋଟି ପ୍ରକଳ୍ପର ବ୍ୟୟ ଅଟକଳ ୫ କୋଟି ୮୬ ଲକ୍ଷ ୭୦ ହଜାର ଟଙ୍କା ବୋଲି ଜଣାଯାଇଛି । ପରେ ଏହି ପଞ୍ଚାୟତ ଅନ୍ତର୍ଗତ ସାଲେପାଲିଠାରେ ନବନିର୍ମିତ ପ୍ରହରୀ ମଣ୍ଡପର ଶୁଭ ଉଦ୍‌ଘାଟନ ମାନ୍ୟବର ବିଧାୟକ ନରସିଂହ ମିଶ୍ର କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭାରେ ସମବେତ ଗ୍ରାମବାସୀ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅବଗତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ସ୍ଥାନୀୟ ସମିତି ସଭ୍ୟା ସଙ୍ଗୀତା ପାଣିଗ୍ରାହୀ, ଉମାଶଙ୍କର ପଣ୍ଡା, ବ୍ଳକ୍‌ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ବରିଷ୍ଠ ନାଗରିକ କପିଳେଶ୍ୱର ପାଣିଗ୍ରାହୀ, ସଂକୀର୍ତ୍ତନ ମେହେର, କୁନା ପାଣିଗ୍ରାହୀ, ପ୍ରକାଶ ବରେଇ, ଦେବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.