ls

ଚା’ ତ ଚା’…. ଚା’ ଭିତରେ ରଜା, ଶାନ୍ତିପଡ଼ା ଛକର ଥପ୍ପା ଟି ଷ୍ଟଲ୍‌ରେ ଅସଲ୍‌ ଚା’ର ମଜା

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚା’ ତ ଚା’… ଚା’ ଭିତରେ ରଜା, ଶାନ୍ତିପଡ଼ା ଛକର ଥପ୍ପା ଟି’ ଷ୍ଟଲ୍‌ରେ ଅସଲ୍‌ ଚା’ର ମଜା । ବାସ୍ତବରେ ଅସଲ୍‌ ଚା’ର ସୁଆଦ ଏହି ଟି ଷ୍ଟଲ୍‌ର ଚା’ରେ ରହିଛି । ଯିଏ ଥରେ ଏହି ଚା’ ଦୋକାନରେ ଚା’ ପିଇଛି, ସିଏ ନିଶ୍ଚୟ ଏହି କଥାକୁ ସ୍ୱୀକାର କରିବ । ଏହି ଚା’ ଦୋକାନର ପୋଖତ୍‌ କାରିଗର ହେଉଛନ୍ତି ଯୁବ ବ୍ୟବସାୟୀ ସୁରେଶ ଥପ୍ପା । ଦୋକାନ ସାମ୍ନାରେ ଯେତେ ଗ୍ରାହକ ଠୁଳ ହେଲେ ବି ତାଙ୍କର ପର୍‌ବାଏ ନଥାଏ । ଠିକ୍‌ ଠିକ୍‌ରେ ଚା’ ତିଆରି ହେବା ପରେ ହିଁ ଗ୍ରାହକଙ୍କୁ ପରସାଯାଏ ଚା’ । ଆଗେ ନିଜେ ସୁଆଦ ବାରିବା ପରେ ହିଁ ଚା’ ପ୍ରସ୍ତୁତ ହୁଏ । ଗ୍ରାହକମାନେ ବି ମହା ଆନନ୍ଦରେ ଜଗି ଥାଆନ୍ତି ଚା’କୁ ।

ସୁରେଶଙ୍କୁ ତାଙ୍କ ଚା’ ସଂପର୍କରେ ପଚାରିବାରୁ ସେ କୁହନ୍ତି, ମୁଁ ଆଜି ଯାଏଁ ଯାହା ବି କରିଛି, ଉଚିତ ମନୋନିବେଶ ସହ ହିଁ କରିଛି । ଆଗରୁ ସରକାରୀ ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲି । ସେଥିରେ ବି ମୋର ଦାୟିତ୍ୱ ଯଥେଷ୍ଟ ଉଚିତ୍‌ ଭାବରେ ନିଭେଇଛି, ଯାହାର ଉଦାହରଣ ଖୋଜିଲେ ଏବେ ବି ଲୋକେ କହିବେ । ଚା’ ଦୋକାନ କରିବା ଦିନଠୁ ମୁଁ ଚା’ ବନେଇବାରେ ବେଶ୍‌ ସୁନାମ ଅର୍ଜନ କରିଛି । ମୁଁ ଅର୍ଥ ଉପାର୍ଜନକୁ ଗୁରୁତ୍ୱ ନଦେଇ ଗ୍ରାହକଙ୍କ ରୁଚିକୁ ସାମ୍ନାରେ ରଖିଆସିଛି, ଯାହା ମୋତେ ସଫଳତା ଦେଇଛି ।

ଶାନ୍ତିପଡ଼ା ଛକରେ ଝୁଂପୁଡ଼ି ଦୋକାନଟିଏ । କିଏ ଦେଖିଲେ କହି ପାରିବନି ଏଭଳି ଏକ ଦୋକାନରେ ଏମିତି ସ୍ୱାଦିଷ୍ଟ ଚା’ ମିଳିବ ବୋଲି । ତେବେ ଚା’ ତିଆରିରେ ବିଶେଷ ପାରଦର୍ଶିତା ଯୋଗୁଁ ତାଙ୍କ ଦୋକାନ ‘ବେଷ୍ଟ ଚାୱାଲା ଅଫ୍‌ ଟାଉନ୍‌’ ପୁରସ୍କାର ମଧ୍ୟ ହାସଲ୍‌ କରିଛି । ସକାଳୁ ସକାଳୁ କିମ୍ବା ସଂଧ୍ୟା ସମୟରେ ତାଙ୍କ ଚା’ ଦୋକାନ ସାମ୍ନାରେ ପ୍ରବଳ ଭିଡ଼ ଦେଖିବା ମିଳିଥାଏ । ଯେଉଁଦିନ କୌଣସି କାରଣବଶତଃ ସୁରେଶଙ୍କ ଚା’ ଦୋକାନ ବନ୍ଦ ରହିଥାଏ, ସେଦିନ ଶାନ୍ତିପଡ଼ା ଛକ ଖାଲି ଖାଲି ଜଣାପଡେ଼ । ବିଶେଷ ଚହଳ ଗହଳ ନଥାଏ । ଏଥିରୁ ଅନୁମାନ କରାଯାଇପାରେ ସୁରେଶଙ୍କ ହାତ ତିଆରି ଚା’ରେ ରହିଥିବା ଯାଦୁକୁ ।

pc pk
Leave A Reply

Your email address will not be published.