ବ୍ରହ୍ମପୁରରେ ମଧ୍ୟ ଜାଲ ସାର୍ଟିଫିକେଟ୍‌ ରାକେଟ ସକ୍ରିୟ : ମାଷ୍ଟର ମାଇଣ୍ଡ ଗିରଫ୍‌

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବଲାଙ୍ଗିରରେ ଜାଲ ସାର୍ଟିଫିକେଟ୍‌ କାରବାର ସାମ୍ନାକୁ ଆସିବା ପରେ ସାରା ଓଡିଶାରେ ଚହଳ ସୃଷ୍ଟି ହୋଇଥିବା ବେଳେ ଏବେ ବ୍ରହ୍ମପୁରରେ ମଧ୍ୟ ଜାଲ ସାର୍ଟିଫିକେଟ ରାକେଟ୍‌ ସକ୍ରିୟ ଥିବା ଜଣାପଡିଛି । ଜାଲ୍‌ ସାର୍ଟିଫିକେଟ୍‌ର ଚେର ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ଢେଙ୍କାନାଳ ଓ କଟକ ପର୍ୟ୍ୟନ୍ତ ଲମ୍ବିଛି । ବିପୁଳ ଟଙ୍କା କାରବାର କରି ନକଲି ସାର୍ଟିଫିକେଟ୍‌ ପ୍ରଦାନ କରୁଥିବା ଏକ ରାକେଟ୍‌କୁ ବ୍ରହ୍ମପୁର ଜିଲ୍ଲା ପୁଲିସ କାବୁ କରିବାରେ ସକ୍ଷମ ହୋଇଛି । ଏହି ମାମଲାରେ ପୁଲିସ ୪ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଜାଲ୍ ସାର୍ଟିଫିକେଟ୍ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ନକଲି ସାମଗ୍ରୀକୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲଙ୍ଗେଳେଶ୍ବର ଗ୍ରାମର ଦୈତାରି ବେହେରା (୫୨), ‌ସେ ଖଲ୍ଲିକୋଟ ବ୍ଲକର ଦେବୀଝର ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । କୌଣସି କାରଣ ପାଇଁ ସେ ନିଲମ୍ବିତ ହୋଇଛନ୍ତି । ସେ ହିଁ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଜଣାପଡ଼ିଛି । ଏଥିରେ ସହଯୋଗ କରୁଥିଲେ ତାଙ୍କ ପୁଅ ଅମୃତପ୍ରସାଦ ବେହେରା(୨୫) । ପୁଲିସ ଉଭୟ ବାପ-ପୁଅଙ୍କୁ ଗିରଫ କରିଛି । ସେହିପରି ଏହି ଜାଲ୍‌ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାରେ ସହଯୋଗ କରୁଥିବା ଢେଙ୍କାନାଳ ଟାଉନ୍‌ଥାନା ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ (୩୯) ଓ କଟକ ମଙ୍ଗଳାବାଗ ଥାନା ଅଂଚଳର କିଶୋର କୁମାର ବେହେରା (୫୨)ଙ୍କୁ ମଧ୍ୟ ପୁଲିସ ଗିରଫ କରିଛି ।

ଅଭିଯୁକ୍ତ ପ୍ରଶାନ୍ତ ଏକ ଜେରକ୍ସ କମ୍ ପ୍ରିଣ୍ଟିଂ ସେଣ୍ଟର୍ ଖୋଲିଥିଲେ । ସେହି ଦୋକାନରେ କମ୍ପ୍ୟୁଟର୍‌ ବ୍ୟବହାର କରି ନକଲି ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିଲେ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । କିଶୋର ସାର୍ଟିଫିକେଟ୍ ପ୍ରସ୍ତୁତ ପାଇଁ ଆବଶ୍ୟକ କାଗଜ କଟକରୁ ପଠାଉଥିଲେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ଡ.ଶରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ପ୍ରଶାନ୍ତଙ୍କ ଘର ଓ ଦୋକାନରୁ ପୁଲିସ ମାଟ୍ରିକ୍ ଠାରୁ ଆରମ୍ଭ କରି +୨ ସାର୍ଟିଫିକେଟ୍, ଧନ୍ଦାମୂଳକ ଶିକ୍ଷା, ଇଂଜିନିୟର୍, ହୋମିଓପାଥି ଡାକ୍ତର ଆଦି ସାର୍ଟଫିକେଟ୍, ଏପରିକି ଆନ୍ଧ୍ରର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜର ବିଇଡି ସାର୍ଟିଫିକେଟ୍, ଛତିଶଗଡ଼ର ମାଟ୍ରିକ୍‌ ସାର୍ଟିଫିକେଟ୍ ଜବତ କରିଛି । ଏଗୁଡ଼ିକ ଅସଲି ଭଳି ଦେଖାଯାଉଥିବା ବେଳେ ପ୍ରକୃତରେ ନକଲି । ଏଥିସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଲୋଗୋ, ଅଧିକାରୀଙ୍କ ଷ୍ଟାମ୍ପ, କମ୍ପ୍ୟୁଟର, ହାର୍ଡଡିସ୍କ, ପ୍ରିଣ୍ଟର୍ ଆଦି ପୁଲିସ ଜବତ କରିଛି । ସେହିପରି ଦୈତାରିଙ୍କ ଗୋଟିଏ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ପୁଲିସ ଫ୍ରିଜ୍ କରିଥିବା ସୂଚନା ଦିଆଯାଇଛି ।

ଏହି ରାକେଟ୍‌ରେ ଆଉ କାହାର ସମ୍ପୃକ୍ତି ଅଛି, ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଯଦି କେହି ଏଭଳି ଠକେଇର ଶିକାର ହୋଇଛନ୍ତି, ତେବେ ସେମାନେ ଆସି ଅଭିଯୋଗ କରିବାକୁ ଏସ୍‌ପି ନିବେଦନ କରିଛନ୍ତି ।

Leave A Reply

Your email address will not be published.