ସେଞ୍ଚୁରିୟନ କ୍ୟାମ୍ପସରେ ମୁକ୍ତା ଚାଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେଞ୍ଚୁରିୟନ କ୍ୟାମ୍ପସରେ ମୁକ୍ତା ଚାଷ କରାଯାଉଛି । ଦୀର୍ଘ ୬ମାସର ପରିଚାଳନା ଓ ଯତ୍ନ ପରେ ଗତକାଲି ଏହାର ଅମଳ ସରିଛି । ପ୍ରଥମ ପର୍ଯ୍ୟାୟରେ ଉନ୍ନତ ମାନର ମୁକ୍ତା ମିଳିଛି । ବିଶ୍ୱ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାଭିତ୍ତିକ ଚାଷରେ ବିଶେଷ କରି ଉଦ୍ଭିଦ ବିଜ୍ଞାନ ଓ ଜୀବ ବିଜ୍ଞାନର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତ ୨୦୨୨ ମସିହା ମାର୍ଚ୍ଚ ମାସରେ କ୍ୟାମ୍ପସ ପରିସରରେ ପ୍ରଥମ କରି ପର୍ଲ୍‌ କଲ୍‌ଚର ୟୁନିଟ୍‌ ଆରମ୍ଭ କରାଯାଇଥିଲା । ପଶ୍ଚିମବଙ୍ଗରୁ ଅଣାଯାଇଥିବା ମାତ୍ର ୧୫ ଶହ ସାମୁକାକୁ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜେ ସର୍ଜରି କରିଥିଲେ । ଯେଉଁଥିରେ ସେମାନଙ୍କୁ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶାନ୍ତନୁ ଭଟ୍ଟାଚାର୍ଯ୍ୟ, ଆସିଷ୍ଟାଣ୍ଟ ପ୍ରଫେସର ମଞ୍ଜୁଲତା ପଳେଇ ଏବଂ ଲେବ୍‌ ଆସିଷ୍ଟାଣ୍ଟ ନନ୍ଦିନୀ ପାତ୍ର ସହଯୋଗ କରିଥିଲେ । ସେଗୁଡିକର ସଠିକ୍‌ ଯତ୍ନ ପରେ ଏବେ ୭ ଶହ ୟୁନିଟ୍‌ ଉନ୍ନତ ମୁକ୍ତା ଅମଳ କରାଯାଇଛି । ଏ ସମ୍ପର୍କରେ ବିଶ୍ୱ ବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀଙ୍କର କହିବା ଅନୁସାରେ ଏହା ପ୍ରଥମ ଥରର ଅମଳ ବୋଲି ମୃତ୍ୟୁହାର ଟିକିଏ ଅଧିକ ରହିଛି । ଆଗକୁ ଏହି ଗବେଷଣାଭିତ୍ତିକ ଚାଷ ଜାରି ରଖିବା ସହ ୩ ହଜାର ୟୁନିଟ୍‌ ଚାଷ କରାଯିବ । ସେଥିରେ ମୃତ୍ୟୁହାର ଯେମିତି ୧୦ ପ୍ରତିଶତ ଭିତରେ ରହିବ ସେନେଇ ଉଦ୍ୟମ କରାଯିବ । ସେଞ୍ଚୁରିଅନ ଯେହେତୁ ଏକ ସ୍କିଲ ୟୁନିଭର୍‌ସିଟି, ତେଣୁ ପିଲାଙ୍କୁ କେବଳ ପୁସ୍ତକଗତ ଶିକ୍ଷାରେ ସିମିତ ନ ରଖି ସେମାନଙ୍କୁ କିଭଳି ନୂଆ ନୂଆ କୌଶଳ ଶିକ୍ଷା ଦିଆଯାଇ ପାରିବ । ସେମାନେ କିଭଳି ଉଦ୍ୟୋଗୀ ହୋଇପାରିବେ, ଜୀବିକା ନିର୍ବାହ କରି ପାରିବେ ସେନେଇ ମଧ୍ୟ ଶିକ୍ଷା ଦିଆଯାଉଥିବା ସେ କହିଥିଲେ । ପିଲାମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ମଧୁର ପାଣିରେ ମୁକ୍ତା ଚାଷ କରାଯାଉଥିବାରୁ ସେମାନେ ମଧ୍ୟ ଅନେକ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.