
● ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ୍, ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
● ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଲେ
ଭୁବନେଶ୍ୱର, (ପିଆଇବି) : ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଗତ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଜନୈକା ୨୦ ବର୍ଷୀୟା ଛାତ୍ରୀଙ୍କୁ ୧୦ ଜଣ ପୁରୁଷ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ତାଙ୍କର ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ଯାଇଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଅପରାଧୀମାନେ ପୁରୁଷ ବନ୍ଧୁଙ୍କୁ ବଳପୂର୍ବକ ଧରି ପୀଡ଼ିତାଙ୍କର ଯୌନ ଉତ୍ପୀଡ଼ନ କରିଥିଲେ । ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଏହାକୁ ଏକ ଗମ୍ଭୀର ମାନବାଧିକାର ଉଲ୍ଲଂଘନ ଭାବେ ଆୟୋଗ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ଏଥିସହିତ ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଛନ୍ତି । ୧୬ ଜୁନ୍ ୨୦୨୫ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ମୁତାବକ, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା । ପୁଲିସ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।